ମାଙ୍କଡ଼ା ପଥର ଖଣି ନିଲାମ ରଦ୍ଦ ପାଇଁ ଦାବି
![](https://i0.wp.com/odia.mobilenews24x7.com/wp-content/uploads/2022/01/mankada-Pathar-Khani-khola-ku-birodha-Khordha-collectorate-750x430-1.jpeg?resize=750%2C430&ssl=1)
ଖୋର୍ଦ୍ଧା() ଆଜି ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ କଂଟାବାଡ଼ ପଂଚାୟତର ଭଗବତୀପୁର ଗ୍ରାମବାସୀ ଗାଁରେ ମାଙ୍କଡ଼ା ପଥର ଓ ମୋରମ ଖଣି ନିଲାମ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି ।
ପୂର୍ବାହ୍ଣରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ପ୍ରାୟ ୬୦ରୁ ଅଧିକ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟରେ ଏକ ମାଙ୍କଡ଼ା ପଥର ଖଣିରେ ମୋରମ ଖଣି ନିଲାମ ଡକାଯାଇଥିବା ଓ ଏହା ଦ୍ୱାରା ଗାଁର ପରିବେଶ ନଷ୍ଟ ହେବା ଦର୍ଶାଇ ଏହାକୁ ରଦ୍ଦ କରିବାକୁ ଦାବିପତ୍ର ଦେଇଥିଲେ । ବିଧାୟକ ରାଉତରାୟଙ୍କ କହିବା କଥା ହେଲା ଭଗବତୀପୁର ମୌଜାର ଖାତା ନଂ ୨୧୯ , ପ୍ଲଟ ନଂ ୨୮୩ରେ ଥିବା ଗୋଚର ଜମିରେ ପ୍ରଶାସନ ପୂର୍ବରୁ ମାଙ୍କଡ଼ା ପଥର ଖଣି ନିଲାମ ଦେଇଥିଲା । କିନ୍ତୁ ଗତ ୨୦ ବର୍ଷ ଧରି ଏହାକୁ ମୃତ ବୋଲି ଘୋଷଣା କରାଯାଇଥିଲା । ସେଠାରେ ମାଙ୍କଡ଼ା ପଥର ଖଣି ଯୋଗୁଁ ଗାଁ ଚାରିପଟେ ଥିବା ଜଙ୍ଗଲ, ରାସ୍ତାଘାଟ ନଷ୍ଟ ହୋଇଯାଇଥିଲା । ଖଣି ଖନନ ବନ୍ଦ ହେବା ପରେ ସେଠାରେ ପରିବେଷ ସୁଧାର ହେବାକୁ ଆରମ୍ଭ କରିଥିବା ବେଳେ ବର୍ତମାନ ସେହି ଖଣିରେ ପ୍ରଶାସନ ପକ୍ଷରୁ ମୋରମ ଖୋଳିବା ପାଇଁ ନିଲାମ ଡକାଯାଇଛି । ଏହି ନିକଟରେ ୧୯୮୨ରେ ଏକ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଏକ ଆଶ୍ରମ ବିଦ୍ୟାଳୟ ସହ ପ୍ରାୟ ୫୦ଘର ଆଦିବାସୀ ରହୁଛନ୍ତି । ସେଠାରେ ପୁଣି ଖଣି ଖୋଳାଗଲେ ବିଦ୍ୟାଳୟର କ୍ଷତି ହେବା ସହ ଆଦିବାସୀଙ୍କ ଜୀବନ ବିପନ୍ନ ହେବ ।