ନୂଆଦିଲ୍ଲୀ : ବୁଧବାର ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ଖେଳାଯିବ । ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ଆଗୁଆ ରହିଛି । ଦଳ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ । ସେହିପରି ଇଣ୍ଡିଜ ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ଫେରିବା ପାଇଁ ପ୍ରୟାସ କରିବ ।
ପ୍ରଥମ ଦିନିକିଆ ଜିତିଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୧୦୦୦ ତମ ମୁକାବିଲାରେ ଇଣ୍ଡିଜକୁ ୬ ଓ୍ୱିକେଟରେ ହରାଇଥିଲା । ରୋହିତ ଏହି ମ୍ୟାଚରେ ଜବରଦସ୍ତ ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ବୋଲରମାନେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଥିଲେ ।
ତେବେ ଦ୍ୱିତୀୟ ଦିନିକିଆରେ ଦଳରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା କମ୍ ରହିଛି । ଶିଖର ଧାଓ୍ୱନ କରୋନାରେ ସଂକ୍ରମିତ ହୋଇଥିବାରୁ ଇଷାନ କିଶନ ଓ ରୋହିତ ଶର୍ମା ଓପନିଂ ପାଇଁ ଓହ୍ଲାଇ ପାରନ୍ତି । ସେହିପରି ବୋଲିଂ ବିଭାଗରେ ଦଳ ସେତେଟା ପରିବର୍ତ୍ତନ କରିନପାରେ ।
ଦ୍ୱିତୀୟ ମୁକାବିଲା ଜିତି ସିରିଜକୁ ସମାନ ସ୍ତରକୁ ଆଣିବାକୁ ପ୍ରୟାସ କରିବ କାରବିୟାନ୍ ଟିମ୍ । ଦଳର ବ୍ୟାଟିଂ ଓ ବୋଲିଂ ଫେଲ୍ ମାରିଥିଲା । ଟପ୍ ଓ ମିଡିଲ୍ ଅର୍ଡର ବ୍ୟାଟସମ୍ୟାନ୍ ଫେଲ୍ ମାରିଥିଲେ । ଏହା ଉପରେ ଇଣ୍ଡିଜ୍ ଅଧିକ ଧ୍ୟାନ ଦେଇପାରେ । ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଆଭାସ ମିଳୁଛି ।