ପୂର୍ବତନ ଆଇପିଏସ୍ଙ୍କ ବିବାଦୀୟ ଟୁଇଟ୍: ‘ଛାତ୍ରଛାତ୍ରୀ ନିଜର ଫାଇଦା ପାଇଁ ୟୁକ୍ରେନ୍ ଯାଇଛନ୍ତି, ମରିଗଲେ ସରକାର ଦାୟୀ ନୁହଁନ୍ତି’
ନୂଆଦିଲ୍ଲୀ() ୟୁକ୍ରେନ୍ ଏବଂ ଋଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ । ବିଭିନ୍ନ ଦେଶର ଲୋକ ଏବେ ସେଠାରେ ଫସି ରହିଥିବା ବେଳେ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । କିଛି ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ସାହାଯ୍ୟର ଆଶାରେ ଅଛନ୍ତି । ୟୁକ୍ରେନ୍ରେ ଭାରତୀୟ ଦୂତାବାସ ୧୫ ହଜାର ଭାରତୀୟ ଛାତ୍ରଛାତ୍ରୀ ସେଠାରେ ଫିସି ରହିଥିବା ସୂଚନା ଦେଇଛି । ଏହାରି ମଧ୍ୟରେ ସୋସିଆଲ୍ ମିଡିଆରେ ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଏବଂ କେରଳର ପୂର୍ବତନ ଡିଜିପିଙ୍କ ଟ୍ୱିଟ୍କୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି ।
ୟୁକ୍ରେନ୍ରୁ ଭାରତୀୟଙ୍କୁ ଉଦ୍ଧାର କରିବାକୁ ନେଇ ଡା. ଏନ୍.ସି. ଆସ୍ଥାନା ନାମକ ଅବସରପ୍ରାପ୍ତ ଆଇପିଏସ୍ ବିବାଦୀୟ ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି ଯେ ୟୁକ୍ରେନ୍ରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା କେବଳ ଭାରତ ସରକାରଙ୍କ ନୈତିକ ଦାୟିତ୍ୱ । କିନ୍ତୁ ଏହା ଆଇନଗତ ଦାୟିତ୍ୱ ନୁହେଁ । ଖାଲିଟାରେ ସରକାରଙ୍କୁ ନେଇ ଆଲୋଚନା କରିବା ବନ୍ଦ କରନ୍ତୁ । ସେମାନେ ନିଜ ସ୍ୱାର୍ଥ ପାଇଁ ସେଠାକୁ ଯାଉଥିଲେ । ଯଦି କୌଣସି ଭାରତୀୟ ଆଣ୍ଟାର୍କାଟିକା କିମ୍ୱା ଗହୀର ସମୁଦ୍ର ଭିତରେ ବିପଦରେ ପଡ଼ିଥିବେ ତେବେ କଣ ସରକାର ତାଙ୍କୁ ଉଦ୍ଧାର କରିବେ ?
GOI has only moral responsibility for the evacuation of students in Ukraine, NO LEGAL RESPONSIBILITY. Stop criticizing the govt unnecessarily. They had gone for their personal interests. If some Indian is in danger in Antarctica or in deep sea, is GOI supposed to evacuate him?
— Dr. N. C. Asthana, IPS (Retd) (@NcAsthana) February 24, 2022
ତେବେ ଏହି ଟ୍ୱିଟ୍କୁ ନେଇ ସୋସିଆଲ୍ ମିଡିଆରେ ତର୍କ ବିତର୍କ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ବ୍ୟବହାରକାରୀ ଏହାକୁ ନେଇ ସେମାନଙ୍କ ମତ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ତାହାଲେ ଭାରତ ସରକାର ୧୯୯୦ ମସିହା ଇରାକ୍-କୁଏତ ସଂଘର୍ଷ ସମୟରେ ପାଖାପାଖି ୧.୭ ଲକ୍ଷ ଲୋକଙ୍କୁ ବିମାନ ଯୋଗେ ଉଦ୍ଧାର କରି ଦେଶର ଅର୍ଥକୁ ବର୍ବାଦ୍ କରିଦେଇଛନ୍ତି, କାରଣ ସମସ୍ତ ଲୋକ ନିଜ ଇଛାରେ ଅଧିକ ଟଙ୍କା କମେଇବା ପାଇଁ ସେଠାକୁ ଯାଇଥିଲେ । ସେହିଭଳି ଅନେକ ୟୁଜର ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି ।