ବ୍ୟାଟିଂ ପରେ ଜାଡେଜାଙ୍କ ଦମଦାର୍ ବୋଲିଂ : ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ ରନ୍ରେ ଅଲଆଉଟ୍
ନୂଆଦିଲ୍ଲୀ() ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମୋହାଲି ଟେଷ୍ଟରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ଶ୍ରୀଲଙ୍କା । ପ୍ରଥମ ଇନିଂସରେ ଭାରତ କରିଥିବା ୫୭୪ ରନ୍ ଜବାବରେ ଶ୍ରୀଲଙ୍କା ମାତ୍ର ୧୭୪ ରନରେ ଅଲଆଉଟ୍ ହୋଇଯାଇଛି । ଭାରତୀୟ ବୋଲରଙ୍କ ଆଗରେ କୌଣସି ଶ୍ରୀଲଙ୍କା ବ୍ୟାଟର ତିଷ୍ଠି ପାରିନଥିଲେ ।
ଭାରତ ପ୍ରଥମ ଇନିଂସ ୫୭୪ ଜବାବରେ ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ପକ୍ଷରୁ ଓପନର୍ ଦିମୁଥ୍ କରଣାରତ୍ନେ ୨୮ ରନ କରି ଆଉଟ ହୋଇଥିବା ବେଳେ ଲାହିରୁ ଥିରିମାନେ ୧୭ ରନ, ଆଞ୍ଜେଲୋ ମାଥ୍ୟୁସ୍ ୨୨ ରନ, ଧନଞ୍ଜୟ ଡି ସିଲ୍ଭା ୧ରନ କରି ଆଉଟ ହୋଇଥିଲେ । ଫାଥୁମ୍ ନିଶାଙ୍କା ୨୬ ରନ ଏବଂ ଚରିଥ୍ ଆଶାଲଙ୍କା ୧ରନ କରି ଅପରାଜିତ ରହିଥିଲେ । ତେବେ ତୃତୀୟ ଦିନରେ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ଦଳର ୫ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ୪ ଜଣ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଫଳରେ ଦଳ ମାତ୍ର ୧୭୪ ରନରେ ଅଲଆଉଟ୍ ହୋଇଯାଇଥିଲା ।ଏହାସହ ଭାରତ ୪୦୦ ରନ୍ ଆଗରେ ରହିଛି ।
ଟିମ୍ ଇଣ୍ଡିଆ ପକ୍ଷରୁ ରବୀନ୍ଦ୍ର ଜାଡେଜା ୫ଟି ଓ୍ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ୍ ଓ ଜସପ୍ରିତ ବୁମରାହ ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ସେହିପରି ମହମ୍ମଦ ସାମି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।