
() ଏବେ ସୁଟିଂଫ୍ଲୋର୍ରେ ଆକ୍ସନ୍ ନାୟିକା। କ୍ୟାମେରା ସାମ୍ନାରେ ନିଜର ବଳ କୌଶଳ ପ୍ରୟୋଗ କରି ସେ ନିଜକୁ କୁଶଳୀ ଯୋଦ୍ଧା ବୋଲି ପ୍ରମାଣିତ କରିବାକୁ ଚାହୁଛନ୍ତି। ଇଏ ହେଉଛନ୍ତି ଅଭିନେତ୍ରୀ ରାଶି ଖାନ୍ନା। ଘଡ଼ିର ନିୟମିତ ଘୂର୍ଣ୍ଣାୟମାନ ଗତି ପରି ଅଭିନେତ୍ରୀ ରାଶିଙ୍କୁ ଗୋଟିଏ ପରେ ଗୋଟିଏ ସିନେମାରେ ଘୂରି ଘୂରି ଅଭିନୟ କରିବାକୁ ପଡ଼ୁଛି।
ମସ୍କୋରେ ଅଭିନେତା ନାଗା ଚୈତନ୍ୟଙ୍କ ‘ଥ୍ୟାଙ୍କ୍ ୟୁ’ ସହିତ ଚେନ୍ନାଇରେ ଅଭିନେତା କାର୍ତ୍ତିଙ୍କ ସହ ‘ସର୍ଦ୍ଦାର’ର ମଧ୍ୟ ସୁଟିଂ ଚାଲିଥିଲା। ଏ ଦୁଇଟି ଫିଲ୍ମର ସୁଟିଂ ସରିବା ମାତ୍ରେ ଏପାଖେ ଧର୍ମା ପ୍ରଡକ୍ସନ୍ର ‘ଯୋଦ୍ଧା’ ଚଳଚ୍ଚିତ୍ରରେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ସାମିଲ ହେଇଛନ୍ତି ରାଶି। ରାଶି ଲୋନାଭଲାରୁ ମୁମ୍ବାଇ ପୁଣି ସେଠାରୁ ଦିଲ୍ଲୀ; ଏମିତି ଭିନ୍ନ ଭିନ୍ନ ଲୋକେସନ୍ରେ ଘୂରି ବୁଲୁଛନ୍ତି। ଜଣାପଡ଼ୁଛି ରାଶି ଏବେ ଖୁବ୍ ବ୍ୟସ୍ତ ଅଛନ୍ତି।
ଏହା ବ୍ୟତୀତ ଓଟିଟି ପ୍ଲାଟ୍ଫର୍ମରେ ‘ରୁଦ୍ର: ଦ ଏଜ୍ ଅଫ୍ ଡାର୍କନେସ୍’ରେ ଅଜୟ ଦେବଗନଙ୍କ ବିପକ୍ଷର ନାୟିକା ଅଛନ୍ତି ରାଶି। ଏହାର ଟ୍ରେଲର୍ ଏବେ ମୁକ୍ତିଲାଭ କରିଛି। ଏଥିରେ ରାଶି ଜଣେ ମାନସିକ ରୋଗ ବିଶେଷଜ୍ଞ ଭୂମିକାରେ ଉଭା ହେଇଛନ୍ତି। ‘ରୁଦ୍ର..’, ‘ଥ୍ୟାଙ୍କ୍ ୟୁ’ ଓ ‘ସର୍ଦ୍ଦାର’ ବ୍ୟତୀତ ରାଶି ଧନୁଷଙ୍କ ସହ ‘ଥିରୁ ଚିତ୍ରାବଲମ୍’ ଏବଂ ବିଜୟ ସେତୁପତି ଓ ସାହିଦ କପୁରଙ୍କ ସହ ଅନ୍ୟ ଏକ ନୂଆ ଚଳଚ୍ଚିତ୍ରରେ ମଧ୍ୟ ପ୍ରମୁଖ ଭୂମିକାରେ ଆସୁଛନ୍ତି।