ଓଡ଼ିଶା
କାଳବୈଶାଖୀ: ୨୪ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି; ୧୨ ଜିଲ୍ଲାରେ ୪୦-୫୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର() ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୨ ତାରିଖ ଶୁକ୍ରବାର ଅପରାହ୍ନ ସୁଦ୍ଧା ରାଜ୍ୟର ଅନୁଗୁଳ, ଢ଼େଙ୍କାନାଳ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା କୋରାପୁଟ, ରାୟଗଡା, ଓ କନ୍ଧମାଳ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ ଝଡ଼ବର୍ଷା ଜନିତ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ସେହିପରି ଏହି ସମୟ ମଧ୍ୟରେ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ, ବୌଦ୍ଧ, କଳାହାଣ୍ଡି, ମାଲକାନାଗିରି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ୨୪ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।






