କଣ୍ଟାବାଞ୍ଜି() କଣ୍ଟାବାଞ୍ଜି ସହର ଅମିତ ଜୈନ ଏକ ସଡକ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଥିବା ବେଳେ ଗୋଟିଏ ହାତ ମଧ୍ୟ କାମ ଦେଉନାହିଁ । ବାପା କ୍ୟାନ୍ସର ରୋଗରେ ଆରପାରିକୁ ଚାଲିଯାଇଥିବା ବେଳେ ବଡ ଭାଇ ମଧ୍ୟ କ୍ୟାନ୍ସର ରୋଗରେ ଆକ୍ରାନ୍ତ । ଏଭଳି ସ୍ଥତିରେ ଜଣେ ଭୂମି ମାଫିଆ ତାଙ୍କ ଜମି ହଡପ କରିଥିବା ଅଭିଯୋଗ କରି ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟ ପାଇଁ ଚିଠି ଲେଖିଥିଲେ ଦିବ୍ୟାଙ୍କ ଅମିତ ଜୈନ । ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ ମଧ୍ୟ ତାଙ୍କ ସମସ୍ୟା ସମାଧାନ କରାଯାଉନଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କହିଥିଲେ ।
ତେବେ ଅମିତ ଜୈନଙ୍କ ଇଚ୍ଛା ମୃତ୍ୟୁ ଖବର ପ୍ରସାରଣ ହେଲା ପରେ ସ୍ଥାନୀୟ ପ୍ରଶାସନ ଅମିତ ଏବଂ ତାଙ୍କ ବଡ ଭାଇ ଶୈତେନ୍ଦ୍ର ଜୈନଙ୍କୁ ସାକ୍ଷାତ କରିଛି । ଯେଉଁ ଜମି ହଡପ କରିଥିବା ଅମିତ ଅଭିଯୋଗ କରିଛନ୍ତି ସେହି ଜମି ମାପ ମଧ୍ୟ କରାଯାଇଛି । ତେବେ ଜମି ମାପିବା ସମୟରେ ଜମି ଜବରଦଖଲ କରିଥିବା ବ୍ୟକ୍ତି ବିରୋଧ କରିଥିବା ସତ୍ତ୍ୱେ ପରବର୍ତ୍ତି ସମୟରେ ଜମି ମପା ଯାଇଥିଲା । ଜମି ମାପିବା ସମୟରେ କଣ୍ଟାବାଞ୍ଜି ତହସିଲଦାର , ଅତିରିକ୍ତ ତହସିଲଦାର, ଆରଆଇ, ଉପସ୍ଥିତ ଥିବା ବେଳେ ଆଇନ ଶୃଙ୍ଖଳାକୁ ନଜରରେ ରଖି କଣ୍ଟାବାଞ୍ଜି ଥାନା ଅଧିକାରୀଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ଥିଲେ ।