କ୍ୟାରି ବ୍ୟାଗ୍ ପାଇଁ ୨୫ ହଜାର ଟଙ୍କା ଦେବ ସପିଙ୍ଗ୍ ମଲ୍ !

ଭୁବନେଶ୍ୱର, ୦୫/୧୧/୨୦୨୨ – କ୍ୟାରି ବ୍ୟାଗ୍ ପାଇଁ ସପିଙ୍ଗ୍ ମଲକୁ ମହଙ୍ଗା ପଡିଛି । ୬ ଟଙ୍କାର କ୍ୟାରି ବ୍ୟାଗ୍ ପାଇଁ ୨୫ ହଜାର ଟଙ୍କା ଫାଇନ ଗଣିବାକୁ ପଡିବ ସପିଙ୍ଗ୍ ମଲକୁ । କଟକର ଏକ ସପିଙ୍ଗ୍ ମଲକୁ ଖାଉଟି ଅଦାଲତ ୨୫ ହଜାର ଟଙ୍କା ଫାଇନ୍ କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି । କଟକର ଜଣେ ଗ୍ରାହକ ଦୋଳମୁଣ୍ଡାଇ ଅଂଚଳରେ ଥିବା ବଜାର କୋଲକାତା ନାମକ ସପିଙ୍ଗ୍ ମଲକୁ ଡ୍ରେସ କିଣିବାକୁ ଯାଇଥିଲେ । ବିଲିଂ ବେଳେ ତାଙ୍କୁ କ୍ୟାରି ବ୍ୟାଗ ନେବେ କି ନାହିଁ ପଚରା ଯାଇଥିଲା ।
କ୍ୟାରିବ୍ୟାଗ ପାଇଁ ଟଙ୍କା ପଡ଼ିବ ବୋଲି କାଉଣ୍ଟରରେ ଥିବା କର୍ମଚାରୀ ଗ୍ରାହକଙ୍କୁ କହିନଥିଲେ କି ସପିଙ୍ଗ୍ ମଲରେ ଏନେଇ କୌଣସି ସ୍ଥାନରେ ସୂଚନା ଫଳକ ନଥିଲା । ଫଳରେ ଗ୍ରାହକ ଜଣକ ବିଲିଂ କରୁଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ମାନସିକ ସ୍ତରରେ ଭାଙ୍ଗିପଡିଥିବା ଗ୍ରାହକ ଜଣକ ପରେ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ । ଅଦାଲତ ମାମଲା ବିଚାର କରି ସଂପୃକ୍ତ ମଲକୁ ଏକ ମାସ ମଧ୍ୟରେ ୨୫ ହଜାର ଟଙ୍କାର ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଖାଉଟି ଅଦାଲତଙ୍କ ଏଭଳି ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ସାଧାରଣ ଗ୍ରାହକ ।