ବାଣିଜ୍ୟ

ଗେଲ୍ ସବ୍-ଷ୍ଟେସନରେ ଶ୍ରମିକ, ଠିକାଦାର ପକାଇଲେ ତାଲା

ଟଙ୍କା ନ ପାଇବା ଯାଏ ଚାଲିବ ଆନ୍ଦୋଳନ

ବାର୍‌ଦା, କଟକ, ୨୭/୧୨/୨୦୨୨-   କାମ କଲେ ହେଲେ ପାଇଲେନି ଟଙ୍କା । ବାରମ୍ବାର ହାନୀ ଗୁହାରି ଏବଂ ଦାବି ଜଣାଇବା ସତ୍ତ୍ୱେ ବି ଶୁଣିଲାନି କମ୍ପାନୀ । କମ୍ପାନୀ କୌଣସି ଛୋଟମୋଟର ନୁହେଁ । ଜାତୀୟ ସ୍ତରରେ କାମ କରୁଥିବା ନାମୀ ଦାମୀ କମ୍ପାନୀ ଗ୍ୟାସ୍ ଅଥୋରିଟି ଅଫ୍ ଇଣ୍ଡିଆ ଲିମିଟେଡ- ଗେଲ୍ । ସାରା ଦେଶରେ ପାଇପ ଲାଇନ ଯୋଗେ ଘରକୁ ଗ୍ୟାସ ସଂଯୋଗୀକରଣ କରୁଥିବା ଏହି କମ୍ପାନୀ ବିରୋଧରେ ଆସିଛି ଅର୍ଥ ପୈଠ ନ କରିବାର ଅଭିଯୋଗ । ଗ୍ୟାସ ପାଇପଲାଇନ ବିଛାଇବା କାମରେ ସ୍ଥାନୀୟ ଅଞ୍ଚଳର ୩ ଶହରୁ ଅଧିକ ବ୍ୟକ୍ତି ୫୦ରୁ ଅଧିକ ଟ୍ରାକ୍ଟର ଆଦି କାମରେ ଲାଗିଛି । ହେଲେ ଗେଲ୍ କୌଣସି କାରଣରୁ ଗତ ଜାନୁଆରୀରୁ ଏମାନଙ୍କୁ ପ୍ରାପ୍ୟ ଦେଉନାହିଁ । ଆଉ ଏହାର ପ୍ରତିବାଦରେ ଗ୍ରାମବାସୀ ଦୀର୍ଘ ୬ ମାସ ହେଲା ନିର୍ମାଣାଧୀନ ଗେଲ୍ ସବ୍‌ଷ୍ଟେସନରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି । ଏହି ଘଟଣା ଘଟିଛି କଟକ କନ୍ଦରପୁର ଥାନା ଅନ୍ତର୍ଗତ ବାର୍‌ଦା ଗ୍ରାମରେ ।

କମ୍ପାନୀର ମନମୁଖୀ ବେପରୁଆ ଭାବ ବିରୋଧରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମ କରିଥିବା ଖଟିଖିଆ ଶ୍ରମିକ, ଠିକାଦାର ଦେଇଛନ୍ତି ଆନ୍ଦୋଳନ ଡାକରା । ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ବଢ଼ି ଏବେ ଥାନାରେ ପହଞ୍ଚିଛି । କମ୍ପାନୀ ପକ୍ଷରୁ ଏନେଇ ଥାନାରେ ଏତେଲା ଦିଆଯାଇଛି । ସେପଟେ ହକ୍ ପାଇଁ ଲଢେଇ କରୁଥିବା ସ୍ଥାନୀୟ ଲୋକେ ନ ଛୋଡ଼ ବନ୍ଧା । ଖାଲି ସେତିକି ନୁହେଁ କମ୍ପାନି କାର୍ଯ୍ୟରେ ବ୍ୟବହୃତ ଗାଡ଼ି ଗୁଡ଼ିକ ଯିବା ଆସିବା ଦ୍ୱାରା ଗାଁର ରାସ୍ତା ମଧ୍ୟ ଖରାପ ହୋଇଥିବାରୁ ବିଭିନ୍ନ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । କମ୍ପାନି ରାସ୍ତା ମରାମତି କରିବ ବୋଲି କହିଥିଲେ ବି ଏବେ ଧରାଛୁଆଁ ଦେଉନାହିଁ ।

ସେପଟେ ସମସ୍ୟାର ସମାଧାନ ପାଇଁ CRRI ଥାନାରେ ଏସିପିଙ୍କ ଉପସ୍ଥିତିରେ ଦୁଇପକ୍ଷଙ୍କ ଭିତରେ ଆଲୋଚନା ହୋଇଥିଲା । ତେବେ ସେଥିରୁ କୌଣସି ସମାଧାନ ବାହାରି ପାରିନାହିଁ ।
ସେହିଭଳି କମ୍ପାନୀ ପକ୍ଷରୁ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆସିଥିବା ଅଧିକାରୀଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରାଯିବାରୁ ସେମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com