Featuredଓଡ଼ିଶାଶିକ୍ଷା

ଶିକ୍ଷାଦାନରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଲାଗି ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତିି । ସ୍କୁଲ ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସରକାରୀ ସ୍କୁଲ୍‌ର ଭିତ୍ତିଭୂମି ବିକାଶ ସହ ରେକର୍ଡ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଏବେ ସରକାରୀ ବିଦ୍ୟାଳୟ ପ୍ରତି ଥିବା ଲୋକଙ୍କର ନକରାତ୍ମକ ଚିନ୍ତାଧାରାକୁ ବଦଳାଇବାର ସମୟ ଆସିଛି । କେବଳ ଶିକ୍ଷକ, ଶିକ୍ଷୟିତ୍ରୀ ନୁହଁନ୍ତି, ବ୍ଲକ୍‌ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନେ ଏ ଦିଗରେ ସଚେତନ ହେବା ଜରୁରୀ ହୋଇପଡ଼ିଛି । ପିଲାମାନଙ୍କ ଭବିଷ୍ୟତ ଗଠନରେ କୌଣସି ପ୍ରକାର ଅବହେଳା କଲେ ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଆଜି କୃଷି ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଇଁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ଗଣଶିକ୍ଷା ମନ୍ତ୍ରୀ କହିଥିଲେ, ଓଡ଼ିଶାର ସରକାରୀ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷାର ପ୍ରଚଳନ ପାଇଁ ସବୁପ୍ରକାର ପଦକ୍ଷେପ ହାତକୁ ନିଆଯିବ । ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏଦିଗରେ ମିଳିତ ଭାବରେ କାର୍ଯ୍ୟ କରିବେ । ପ୍ରଧାନଶିକ୍ଷକ, ଶିକ୍ଷକ, ସିଆରସିସି, ବିଇଓ ଏବଂ ଡିଇଓମାନଙ୍କ ମିଳିତ ପ୍ରଚେଷ୍ଟା ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷାରେ ପ୍ରତିଫଳିତ ହେବା ନେଇ ଆଶା ପ୍ରକାଶ କରିଥିଲେ ।

ସେହିଭଳି ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଭାଗୀୟ କର୍ମଚାରୀଙ୍କୁ ଉଚିତ୍‌ ସମୟରେ ପେନ୍‌ସନ୍‌ ପ୍ରଦାନ ସହ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟରେ ମେଧାବୃତ୍ତି ବାବଦ ଆର୍ଥିକ ସହାୟତା ପ୍ରଦାନ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଏଫ୍‌ଏଲ୍‌ଏନ୍‌ (ଫାଉଣ୍ଡେସନାଲ ଲିଟେରାସି ଆଣ୍ଡ ନିଉମେରସି) ଏବଂ ଏଲ୍‌ଆର୍‌ପି(ଲର୍ଣ୍ଣିଙ୍ଗ ରିକଭରି ପ୍ରୋଗ୍ରାମ) କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ଭୂମିକା ଓ ପରବର୍ତ୍ତୀ ଫଳାଫଳର ଆଭିମୁଖ୍ୟ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ରହିଥିଲା । ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷା ବିଭାଗର ସମସ୍ତ ଅଧିକାରୀଙ୍କୁ ଆଚରଣରେ ପରିବର୍ତ୍ତନ ଆଣିବା ଏବଂ ଓଡ଼ିଶାର ଭବିଷ୍ୟତ ଗଠନ ପାଇଁ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଆଶ୍ୱଥୀ ଏସ୍‌. କହିଥିଲେ । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଏମ୍‌ଡିଏମ୍‌(ମଧ୍ୟାହ୍ନ ଭୋଜନ) ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ୍‌ର ୧୦୩ ଜଣ ବ୍ଲକ୍‌ ଶିକ୍ଷା ଅଧିକାରୀ ଏବଂ ୧୦ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗଦାନ କରିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com