୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କଲେ ନବରଙ୍ଗପୁର ଜିଲ୍ଲାପାଳ
ନବରଙ୍ଗପୁର, ୩୧/୧୨/୨୦୨୨- ବେଆଇନ ଭାବେ ଦୀର୍ଘଦିନ ଧରି ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ୨୪ ଜଣ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବହିଷ୍କାର କରିଛନ୍ତି । ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଲମ୍ବା ଛୁଟିରେ ଥିବା ଶିକ୍ଷକମାନଙ୍କର ତାଲିକା ମଗା ଯାଇଥିଲା । ସେହି ତାଲିକା ଜିଲ୍ଲାପାଳଙ୍କର ହସ୍ତଗତ ହେବାପରେ ୨ ଡିସେମ୍ବର, ୨୦୨୨ରେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ୭ ଦିନ ମଧ୍ୟରେ ଲମ୍ବାଛୁଟିର କାରଣ ସମ୍ପର୍କରେ ଉତ୍ତର ଦେବା ପାଇଁ କୁହା ଯାଇଥିଲା ।
ଏହାପରେ କିଛି ଶିକ୍ଷକ ସେମାନଙ୍କର ଉତ୍ତର ରଖିଥିଲେ ମଧ୍ୟ ୨୪ ଜଣ ଶିକ୍ଷକ କୌଣସି ଉତ୍ତର ରଖି ନ ଥିଲେ । ଯେଉଁଥିପାଇଁ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ୨୦୨୨ ଡିସେମ୍ବର, ୨୭ ତାରିଖରେ ୨୪ ଜଣ ଗଣଶିକ୍ଷକ, ଠିକା ଭିତ୍ତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ଏନେଇ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ବହିଷ୍କୃତ ନୋଟିସ୍ ସମ୍ପୃକ୍ତ ଶିକ୍ଷକମାନଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।