ରାଜ୍ୟରେ ଶୁଭାରମ୍ଭ ହେଲା ‘ବାଲ୍ ଆଧାର’ ବ୍ୟବସ୍ଥା
ଭୁବନେଶ୍ୱର,୧୬/୦୩/୨୦୨୩ – ଶିଶୁ ଜନ୍ମ ପରେ ଆଧାରକାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରାଯିବ । ଏଥିପାଇଁ ଗୁରୁବାରଠାରୁ ରାଜ୍ୟରେ ‘ବାଲ୍ ଆଧାର’ର ଶୁଭାରମ୍ଭ କରାଯାଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁର ଅଭିଭାବକ ଡାକ୍ତରଖାନା ସହ ଯୋଗାଯୋଗ କରି ବାଲ୍ ଆଧାର ନେଇପାରିବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି କୁହାଯାଇଛି ।
ଆଜି ଠାରୁ ଆମ ରାଜ୍ୟରେ ଶୁଭାରମ୍ଭ ହେଉଛି “ବାଲ୍ ଆଧାର” କାର୍ଯ୍ୟକ୍ରମ। ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରନ୍ତୁ। ଆଧାର ସଂଯୋଗ ଦ୍ବାରା ସରକାରୀ ସେବା ପାଇବା ସହଜ ହୋଇଥାଏ। ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି #ବାଲ୍ଆଧାର ପ୍ରାପ୍ତ କରନ୍ତୁ। #aadhar #bal_aadhar pic.twitter.com/6SBk8Ls830
— I & PR Department, Odisha (@IPR_Odisha) March 16, 2023
ତେବେ ଆଧାର ପଞ୍ଜିକରଣ ପାଇଁ ମା’ କିମ୍ବା ବାପା କୌଣସି ଜଣଙ୍କର ଆଧାର ନମ୍ବର ଥିବା ଜରୁରୀ । ଶିଶୁ ଜନ୍ମହେବାର ୨୧ଦିନ ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ୍ଣ ମାଗଣା କରା ଯାଇପାରିବ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଧାର କାର୍ଡ ଅପ୍ଡେଟ୍ କରିବା ପାଇଁ ଆଜି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏକ ଭ୍ରାମ୍ୟମାଣ ଆଧାର ସେବା ଭ୍ୟାନ୍ର ଶୁଭାରମ୍ଭ କରିଛନ୍ତି ।
ଏହା ସହିତ ଯଦି ଆପଣ ଆଧାରରେ କିଛି ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ ଏହାକୁ ମାଗଣାରେ କରିବାକୁ ଆପଣଙ୍କ ପାଇଁ ଭଲ ସୁଯୋଗ ରହିଛି । ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ – UIDAI ନାଗରିକମାନଙ୍କୁ ମାଗଣାରେ ଆଧାର ଅପଡେଟ୍ କରିବାର ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ଯେଉଁମାନଙ୍କ ଆଧାର ୧୦ ବର୍ଷ ହୋଇଗଲାଣି ଏବଂ କେବେ ବି ଅପଡେଟ୍ ହୋଇନାହିଁ, ସେମାନେ ଅପଡେଟ୍ କରିପାରିବେ । ଡିଜିଟାଲ୍ ଇଣ୍ଡିଆ ଅଭିଯାନର ପ୍ରୋତ୍ସାହନ ଅଧୀନରେ UIDAI ଏହି ନିଷ୍ପତ୍ତି ନେଇଛି ।
ଏହା ସହିତ My Aadhaar ପୋର୍ଟାଲରେ ମାଗଣାରେ ଡକ୍ୟୁମେଣ୍ଟ ଅପଡେଟ୍ ସୁବିଧା କରିପାରିବେ । ଏହି ସୁବିଧା କେବଳ ୧୫ ମାର୍ଚ୍ଚ ୨୦୨୩ ରୁ ୧୪ ଜୁନ୍ ୨୦୨୩ ପର୍ଯ୍ୟନ୍ତ ତିନିମାସ ପାଇଁ ମାଗଣାରେ ଉପଲବ୍ଧ ହେବ । ଆଧାର କେନ୍ଦ୍ରକୁ ଯାଇ ଡକ୍ୟୁମେଣ୍ଟ ଅପଡେଟ୍ କରିବା ପାଇଁ କିନ୍ତୁ ୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ ।