
ନୂଆ ମଦ ନୀତି ଅନୁସାରେ ଏଣିକି ସମୁଦ୍ର କୂଳରେ ମିଳିବ ମଦ । ରାଜ୍ୟର ସମସ୍ତ ଇକୋ ରିଟ୍ରିଟ୍ ନିକଟରେ ମଦ ବିକିବ ଓଟିଡ଼ିସି । ଦେଶୀ ବିଦେଶୀ ପର୍ଯ୍ୟଟଙ୍କ ଆମୋଦପ୍ରମୋଦକୁ ନଜରରେ ରଖି ଏଭଳି ସୁବିଧା କରିଛନ୍ତି ରାଜ୍ୟ ସରକାର । ଖାଲି ସେତିକି ନୁହେଁ ବିୟର ପାର୍ଲର ଗୁଡ଼ିକୁ ଏବେ ୱାଇନ୍ ବିକିବା ପାଇଁ ଅନୁମତି ମିଳିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆସିଥିବା ଅବକାରୀ ନିୟମ ଅନୁସାରେ ମଦ ଦର ବି ବୃଦ୍ଧି ପାଇବ । ସେପଟେ ଗ୍ରାମାଞ୍ଚଳ ଗୁଡ଼ିକରେ ବନ୍ଦ ହେବ ସମସ୍ତ ଠିପିଖୋଲା ମଦ ଦୋକାନ । ଏପରିକି ନୂତନ ଠିପି ବନ୍ଦ ମଦ ଦୋକାନ ପାଇଁ ମିଳିବ ନାହିଁ ଅନୁମତି । କେବଳ ସହରାଞ୍ଚଳରେ ତାରକା ହୋଟେଲ ର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ମଦ ବିକ୍ରି ପାଇଁ ମିଳିବ ଅନୁମତି । ଏପ୍ରିଲ ପହିଲାରୁ ମାର୍ଚ୍ଚ ୩୧ , ୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ନିୟମ । ଇକୋରିଟ୍ରିଟ୍ ନିକଟରେ ଓ଼ଟିଡ଼ିସି ଏବଂ ଆଇଟିଡ଼ିସି ହୋଟେଲ୍କୁ ଅଧା ଦରରେ ଅନ୍ ସପ୍ ଲାଇସେନ୍ସ ଯୋଗାଇଦିଆଯିବ। ଯଦି ଏହାର ଘରୋଇକରଣ ହୋଇଥିବ, ତେବେ ଏହି ଫାଇଦା ମିଳିବ ନାହିଁ। ଏଥି ସହିତ କୌଣସି ମଦ ବ୍ୟବସାୟୀ ସାଇନ ବୋର୍ଡ଼ରେ ସରକାରୀ ବୋଲି ଉଲ୍ଲେଖ କରିପାରିବେ ନାହିଁ । ମଦ ଦୋକାନର ନାମକରଣରେ କୌଣସି ଦେବାଦେବୀ କିମ୍ବା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ନାମ ବ୍ୟବହାର କରିପାରିବ ନାହିଁ । ଏହା ସହ ଦୋକାନ ଆଗରେ ମଦର ମୂଲ୍ୟ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବଡ଼ ଅକ୍ଷରରେ ଲେଖିବା ବାଧ୍ୟତମୂଳକ ।