ରାହୁଲ ଗାନ୍ଧିଙ୍କୁ ମିଳିବ କି ଆଶ୍ୱସ୍ତି, ୨୧ରେ ସୁପ୍ରିମକୋର୍ଟ ଶୁଣାଇବେ ରାୟ
ମୋଦି ସରନେମ୍ କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଛନ୍ଦି ହୋଇଛନ୍ତି ରାହୁଲ
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ସବୁ ମୋଦି ସଂଜ୍ଞାଧାରୀ ଚୋର… ଏଭଳି କିଛି ମତ ଦେଇ ଫସିଛନ୍ତି ରାହୁଲ ଗାନ୍ଧି । ହରାଇଛନ୍ତି ସାଂସଦ ପଦ ଆଉ ହୋଇଛି ୨ ବର୍ଷ ଜେଲ୍ । ତେବେ ଏହି ମାମଲାରୁ ଖୁବଶୀଘ୍ର ରାହୁଲଙ୍କୁ ମିଳିପାରେ ଆଶ୍ୱସ୍ତି । ଏନେଇ ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ୨୧ ତାରିଖ ଶୁକ୍ରବାର ଶୁଣାଣି କରିବେ । ମଙ୍ଗଳବାର ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସୂଚନା ମିଳିଛି ।
ସ୍ମରଣଯୋଗ୍ୟ ଯେ ମୋଦି ସାଂଜ୍ଞାକୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ରାହୁଲ ଗାନ୍ଧି ହରଡ଼ଘଣାରେ ପଡ଼ିଛନ୍ତି । ତାଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ ହୋଇଛି । ଫଳରେ ସେ ଏମପି ପଦ ହରାଇଛନ୍ତି ଓ ୨ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ନିକଟରେ ଏନେଇ ରାହୁଲ ଗୁଜରାଟ ହାଇକୋର୍ଟରୁ ଆଶ୍ୱସ୍ତି ଆଶା କରୁଥିଲେ । କିନ୍ତୁ ଗୁଜରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ଫଳରେ ରାହୁଲଙ୍କ ଅଡୁଆ ବଢ଼ିଥିଲା ଓ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରାହୁଲଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ଡ. ଅଭିଷେକ ମନୁ ସିଂଘୱି ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟରେ ସାନି ଶୁଣାଣି ପାଇଁ ଆବେଦନ କରିଥିଲେ । ଏହାକୁ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଗ୍ରହଣ କରିବା ସହ ଆସନ୍ତା ୨୧ ତାରିଖରେ ଶୁଣାଣି ପାଇଁ ସ୍ୱୀକୃତି ଦେଇଛନ୍ତି ।