ହସ୍ତାକ୍ଷର କହୁଛି ଭବିଷ୍ୟତ
କଥାରେ ଅଛି ହାତ ଲେଖା ଅକ୍ଷର ହିଁ ସ୍ୱପ୍ନକୁ ଦିଶା ଦେଇଥାଏ । ଅର୍ଥାତ ତୁମର ସ୍ୱପ୍ନ ଯେତେ ସୁନ୍ଦର ଠିକ ସେମିତି ତୁମ ହସ୍ତାକ୍ଷର ମଧ୍ୟ ସେତିକି ସୁନ୍ଦର । ଏହି କଥାକୁ ବିଶ୍ୱାସ କରି କଠିନ ପରିଶ୍ରମ ବଳରେ ନିଜ ଭାଗ୍ୟକୁ ବଦଳେଇ ଦେଇଛନ୍ତି ଗୁଣ୍ଟୁରୁର ଜଣେ ପ୍ରଫେସର । ସେ ହେଉଛନ୍ତି ୩୧ ବର୍ଷିଆ ପ୍ରଫେସର ସୁସ୍ମିତା ଚୌଧୁରୀ । ପିଲାଟି ଦିନରୁ ସେ ହସ୍ତଲିଖନରେ ଅନେକ କୃତିତ୍ୱ ଅର୍ଜନ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ଅଖିଳ ଭାରତୀୟ ହସ୍ତଲିଖନ ଏବଂ କଲିଗ୍ରାଫି ଏକାଡେମିକ ଦ୍ୱାରା ଆୟୋଜିତ ଏକ ପ୍ରତିଯୋଗୀତାରେ ଭାଗ ନେଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ତେବେ ସୁସ୍ମିତାଙ୍କ ଘର ଗୁଣ୍ଟୁରରେ ହୋଇଥିବା ବେଳେ ସେ ହିନ୍ଦୁ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କଲେଜରେ ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅଛନ୍ତି ।
ପିଲାଟି ଦିନରୁ ସୁସ୍ମିତାଙ୍କର ହସ୍ତାକ୍ଷର ଏବଂ କଲିଗ୍ରାଫିରେ ବହୁତ ଆଗ୍ରହ ଥିଲା । ତାଙ୍କର ଅକ୍ଷର ଖୁବ ସୁନ୍ଦର ଥିବାରୁ ପ୍ରଧାନଶିକ୍ଷକ ତାଙ୍କୁ ହସ୍ତାକ୍ଷର ଲେଖିବାର ବିଭିନ୍ନ ଫର୍ମାଟ ଶିକ୍ଷିବାକୁ କହିଥିଲେ । ହସ୍ତାକ୍ଷର ଲେଖିବାର ଏହି ନୂତନ ଫର୍ମାଟ ଶିକ୍ଷିବା ତାଙ୍କ ପାଇଁ ଚିତ୍ର କଳା ଏବଂ ସଂଗୀତ କଳା ଭଳି ଥିଲା । ତେଣୁ ସେ କଲିଗ୍ରାଫି, ଲୁଫ କର୍ସିଭ, ଇଟାଲିୟନ କର୍ସିଭ ଏବଂ ଟାଇମ୍ସ ରୋମନ ଶିଖିଥିଲେ ।
ନିକଟରେ ଅଲ ଇଣ୍ଡିଆ ହ୍ୟାଣ୍ଡରାଇଟିଂ ଏବଂ କଲିଗ୍ରାଫି ଏକାଡେମିକ ପକ୍ଷରୁ ଭଲ ହସ୍ତାକ୍ଷରକୁ ଗୁରୁତ୍ୱ ଦେଇ ଏକ ପ୍ରତିଯୋଗିତା କରାଯାଇଥିଲା । ଯେଉଁଥିରେ ଆନ୍ଧ୍ରପ୍ରଦେଶର ପାଖାପାଖି ୫ ହଜାରେରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସାମିଲ ହୋଇଥିଲେ । ହେଲେ ମାତ୍ର ୬୦ ମିନିଟରେ ସୁସ୍ମୀତା ତାଙ୍କ କାର୍ଯ୍ୟ ସମାପ୍ତ କରି ପ୍ରଥମେ ଠିଆ ହୋଇଥିଲେ । ଆଉ ଏହି ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅର୍ଜନ କରିଛନ୍ତି ।