ଛତିଶଗଡ଼ରେ ଓଡ଼ିଶା କଂଗ୍ରେସ ବନାମ ଧର୍ମେନ୍ଦ୍ର ପ୍ରଧାନ ଲଢ଼େଇ!
ଛତିଶଗଡ଼ ବିଧାନସଭା ପାଇଁ ଓଡ଼ିଶା ରାଜନୀତି ସରଗରମ। ଦୁଇ ପ୍ରମୁଖ ଦଳ କଂଗ୍ରେସ-ବିଜେପି ବଡ଼ ଲଢ଼େଇ ହେବାକୁ ଯାଉଥିବାବେଳେ ରଣନୀତି ପ୍ରସ୍ତୁତି ହୋଇସାରିଛି। କଂଗ୍ରେସର ଷ୍ଟାର୍ ପ୍ରଚାରକ ତାଲିକାରେ ଓଡ଼ିଶାର ଭକ୍ତ, ଶରତ, ସପ୍ତଗିରି ପ୍ରମୁଖ ଛତିଶଗଡ଼ ଦାୟିତ୍ଵରେ ରହିଛନ୍ତି। ଆଉ କଂଗ୍ରେସ
କୁ ଟକ୍କର ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖାସ୍ ଏଇଥିପାଇଁ ଛତିଶଗଡ଼ରେ ଓଡ଼ିଶା ଷ୍ଟାର୍ ନେତାଙ୍କ ଲଢ଼େଇ ଚାଲିଛି ବୋଲି ଚର୍ଚ୍ଚା ଜୋର୍ ହେଉଛି।
ଏଠାରେ କହିରଖୁଛୁ ଯେ ’ଆଉ ସହିବୁ ନାହିଁ, ବଦଳାଇ ଦେବୁ’… ଏହା ହେଉଛି ଛତିଶଗଡର ଜନତାଙ୍କ ନାରା। ଛତିଶଗଡ଼ ନିର୍ବାଚନ ପ୍ରଚାରରେ ସାମିଲ ହେବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରାୟଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପିର ବିଜୟ ବିଶ୍ୱାସ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ ‘ଜୟ ଜଗନ୍ନାଥ’ ଧ୍ୱନି ପ୍ରକମ୍ପିତ ହୋଇଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଏମଏଫ ପାଣ୍ଠି ତିଆରି କରି ରାୟଗଡର ବଞ୍ଚିତ, ଅବହେଳିତଙ୍କ ସମେତ ସମସ୍ତଙ୍କର ବିକାଶ କରିବାର ଯୋଜନା କରିଛନ୍ତି । ମାତ୍ର ଏଠାରେ ମୋଦି ପଠାଉଥିବା ପାଣ୍ଠିର ଦୁରୂପଯୋଗ କରି ଛତିଶଗଡ଼ର ଅନେକ ଅଧିକାରୀ ଜେଲ୍ ଯାଉଛନ୍ତି । ଏଠାକାର କଂଗ୍ରେସର ସରକାର ଭ୍ରଷ୍ଟ ସରକାର । କଂଗ୍ରେସ ସରକାରରେ ଗରିବ, ଚାଷୀ, ମହିଳା, ବଞ୍ଚିତ, ଯୁବବର୍ଗମାନେ ସମସ୍ୟା ଘେରରେ ଅଛନ୍ତି । ଚଳିତ ନିର୍ବାଚନରେ ଲୋକମାନେ ଏହାର ନିଷ୍ପତି ନେବେ । ଏଥର ବିଜେପିର ବିଜୟ ସୁନିଶ୍ଚିତ । ବିଜେପି ସରକାର ହେବା ପରେ ଛତିଶଗଡର ବହୁ ଗରିବଙ୍କ ପାଇଁ ପିଏମ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ।
ଛତିଶଗଡ ଜନତା ବିଜେପି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ମୋଦିଙ୍କ ମଡେଲକୁ ବିଶ୍ୱ ଅନୁସରଣ କରୁଛି । ଗରିବ କଲ୍ୟାଣ ଯୋଜନାରେ ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ମୋଦି ସରକାର ସୁନିଶ୍ଚିତ କରିଛନ୍ତି । ମୋଦିଙ୍କ ବିକାଶ ନେତୃତ୍ୱରେ ଏଠାରେ ସାମଗ୍ରିକ ବିକାଶ ହେବ । ଡବଲ ଇଞ୍ଜିନ ସରକାର ଲାଗିବ । ରାୟଗଡ ଭଳି ଜନଜାତି ଅଧ୍ୟୁଷିତ ଓ ଚାଷୀ ପ୍ରାଧାନ୍ୟ ଅଞ୍ଚଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବଦ୍ଧପରିକର ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଶ୍ରୀ ପ୍ରଧାନ ରାୟଗଡ଼ ଜିଲ୍ଲା ଡୁମରମୁଣ୍ଡା ଠାରେ କୁଲତା ସମାଜର ଶାଖା ସଭାରେ ମଧ୍ୟ ଯୋଗଦେଇଥିଲେ ।
ମା’ ରଣେଶ୍ୱର ରାମଚଣ୍ଡୀଙ୍କ ପବିତ୍ର ପୀଠସ୍ଥଳୀ, ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମୀ ମାଟି ଓ ସ୍ୱତନ୍ତ୍ରତା ସଂଗ୍ରାମୀ ସ୍ୱର୍ଗତ କେଶବ ଚନ୍ଦ୍ର ଶାହଙ୍କ କର୍ମଭୂମିକୁ ପ୍ରଣାମ ପୂର୍ବକ ସମ୍ମାନ ପ୍ରଦର୍ଶନ କରିଥିଲେ ମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରଖିଥିବା କୁଲତା ସମାଜ ବିଜେପିକୁ ଆଶୀର୍ବାଦ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ଏଠାରେ କହିରଖୁଛୁ ଯେ ରାୟଗଡ଼, ଧର୍ମଜୟଗଡ଼, ଲେଲୁଙ୍ଗା ଏବଂ ଖରସିଆରେ ବହୁ ଓଡ଼ିଆ ଭାଷାଭାଷୀ ଲୋକେ ବସବାସ କରୁଛନ୍ତି । ଓଡ଼ିଶାର ହଜାର ହଜାର କାର୍ଯ୍ୟକର୍ତ୍ତାମାନେ ଛତିଶଗଡ଼ରେ ନିର୍ବାଚନ ପ୍ରଚାର କରୁଛନ୍ତି ।