ଓଡ଼ିଶାରାଜନୀତି

ନାମାଙ୍କନ ଭରି ଚମକାଇ ଦେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ-ଦେଖନ୍ତୁ, କାହିଁକି?

ଭୁବନେଶ୍ୱର: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ମମତା ମହାନ୍ତଙ୍କ ନାମାଙ୍କନ ଦାଖଲ କରିବାର କିଛି ସମୟ ପରେ ଜଗନ୍ନାଥ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି । ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ ନଥିବା ବେଳେ ସେ ଆଜି କାହିଁକି ନାମାଙ୍କନ ଦାଖଲ କଲେ, ତାହା ଜଣାପଡ଼ି ନାହିଁ ।

କିନ୍ତୁ ବିଜେପି ବିଧାୟକଙ୍କ ଉପସ୍ଥିତିରେ ଜଗନ୍ନାଥ ପ୍ରାର୍ଥୀପତ୍ର ଭରିଛନ୍ତି । ତାଙ୍କ ନାମାଙ୍କନରେ ୧୦ ଜଣ ବିଧାୟକ ପ୍ରସ୍ତାବକ ପଡ଼ିଛନ୍ତି । ଗୋଟିଏ ସେଟ୍‌ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ । ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡ଼ିଛନ୍ତି ।

ତେବେ ବିଜେପିର ଜଣେ ଟାଣୁଆ ନେତା ହେଉଛନ୍ତି ଜଗନ୍ନାଥ ପ୍ରଧାନ । ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ । ହେଲେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅନନ୍ତ ନାରାୟଣ ଜେନାଙ୍କଠାରୁ ମାତ୍ର ୩୭ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।

ସେପଟେ ମଙ୍ଗଳବାର ସଂନ୍ଧ୍ୟାରେ ମମତା ମହାନ୍ତଙ୍କ ନାଁ ବିଜେପି ଘୋଷଣା କରିବା ପରେ ବୁଧବାର ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ ।

ତେବେ ରାଜ୍ୟରେ ବିଜେପିର ବିଧାୟକ ସଂଖ୍ୟାକୁ ଦୃଷ୍ଟି ଦେଲେ ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହାନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ। କିନ୍ତୁ ଆବଶ୍ୟକତା ପଡ଼ିଲେ ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ହୋଇପାରେ । ଏହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com