ଓଡ଼ିଶା

ସେପ୍ଟେମ୍ବର ୯ରୁ ଭିତରକନିକାରେ ଦେଶୀ ପକ୍ଷୀ ଗଣନା,୧୩ ତାରିଖ ଯାଏଁ ଚାଲିବ

ଭୁବନେଶ୍ୱର: ଭିତରକନିକାରେ ଭିଡ଼ ଜମାଇଛନ୍ତି ଦେଶୀୟ ପକ୍ଷୀ । ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ମାସ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ଏଥିପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ବର୍ଷା ଋତୁ ଆରମ୍ଭରେ ଦେଶର କୋଣ ଅନୁକୋଣରୁ ଦେଶୀୟ ପକ୍ଷୀମାନେ ବଂଶ ବିସ୍ତାର ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥାନ୍ତି । ଜାତୀୟ ଉଦ୍ୟାନର ମଠଆଡିଆ, ଦୁର୍ଗାପ୍ରସାଦଡିଆ, ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟ ପକ୍ଷୀ ବସା ବାନ୍ଧି ଅଣ୍ଡା ଦେଲେଣି । ଏବେ ସେମାନଙ୍କ କଳରବରେ ଭିତରକନିକା ମୁଖରିତ ହେଉଛି ।

କୋପରଖାଇ, ଅଞ୍ଜନା, ରାଣୀବଗ, ପାଣିକୁଆ, ଖଇରା, ଗେଣ୍ଡାଳିଆ , ଦାବେଣ୍ଟିଆ, ଛୋଟବଗ ପ୍ରଭୃତି ୧୦ ପ୍ରଜାତିର ପକ୍ଷୀ ବସା ବାନ୍ଧି ଅଣ୍ଡା ଦେଇଥିଲେ । ମଠଆଡିଆର ଗୁଆଁ, ବନି, ସୁନ୍ଦରୀ, ସିଙ୍ଗଡ଼ା, ବଣିଆ ପ୍ରଭୃତି ଗଛରେ ବସା ବାନ୍ଧୁଥିବା ଦେଖାଯାଇଛି । ଏହିସବୁ ଅଞ୍ଚଳରେ ସେମାନଙ୍କ ଖାଦ୍ୟ ଉପଯୋଗୀ ମାଛ, କଙ୍କଡ଼ା ଓ ପୋକଜୋକ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବାରୁ ଅନ୍ୟ ଅଞ୍ଚଳ ଅପେକ୍ଷା ପକ୍ଷୀମାନେ ଦେଶର କୋଣ ଅନୁକୋଣରୁ ଆସି ଭିତରକନିକାରେ ଭିଡ଼ ଜମାଇଥାନ୍ତି ।

ବର୍ଷାଋତୁ ଆଗମନରେ ହଜାର ହଜାର ସଂଖ୍ୟାରେ ପକ୍ଷୀ ଭିତରକନିକାରେ ବସା ବାନ୍ଧିବା ପ୍ରକୃତିପ୍ରେମୀଙ୍କୁ ଆଶ୍ୱସ୍ତ କରିଛି । ପକ୍ଷୀ ଗଣନା ପାଇଁ ବନବିଭାଗ ପକ୍ଷରୁ ୩ଟି ଦଳ ଗଠନ କରାଯାଇଛି । ପ୍ରତି ଦଳରେ ୫ ଜଣ ଲେଖାଏଁ ରହିବେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ପକ୍ଷୀସମୂହ ପାଇଁ ଭିତରକନିକାକୁ ୨୦୦୨ ମସିହାରେ ରାମସର ସାଇଟ୍‌ ମାନ୍ୟତା ମିଳିଥିଲା ।

ସୋମବାରଠାରୁ ଆରମ୍ଭ ହେଉଥିବା ଗଣନା ୫ଦିନ ଧରି ଚାଲିବ। ପ୍ରତି ଟିମ୍‌ରେ ୫ଜଣ ଲେଖାଏ ବନ କର୍ମଚାରୀ ସାମିଲ ହେବେ। ଭିତରକନିକାରେ ଗେଣ୍ଡାଳିଆ, ପାଣିକୁଆ, ଅଞ୍ଜନା, ରାଣୀ ବଗ, ମଝିଆ ବଗ, ଖଇରା, ଅନ୍ଧାରିଆ ବଗ, କାପରଖାଇ, ସାନ ବଗ, ଦାବେଣ୍ଟିଆ ପ୍ରଭୃତି ଦେଶୀୟ ପକ୍ଷୀ ଭିଡ଼ ଜମା ହୋଇଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com