ଜାତୀୟ

ଲୋକୋ ପାଇଲଟଙ୍କ ପାଇଁ ଅଳ୍ପକେ ବର୍ତ୍ତିଲା ବଡ଼ ଟ୍ରେନ୍‌ ଦୁର୍ଘଟଣା, କେମିତି ଜାଣନ୍ତୁ

ଉତ୍ତରପ୍ରଦେଶ: କାନପୁରରେ ଅଳ୍ପକେ ବର୍ତ୍ତିଲା ବଡ଼ ଟ୍ରେନ୍‌ ଦୁର୍ଘଟଣା । ରବିବାର ରାତିରେ ପ୍ରୟାଗରାଜରୁ ହରିୟାଣାର ଭିଓ୍ବାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସକୁ ବିସ୍ଫୋରଣରେ ଉଡ଼ାଇ ଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା । ଏହି ଷଡଯନ୍ତ୍ର ପଛରେ ଆତଙ୍କବାଦୀ ସମ୍ପୃକ୍ତ ଥିବା ସନ୍ଦେହ କରଯାଉଥିବା ବେଳେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ଆରମ୍ଭ କରିଛି ତଦନ୍ତ ।

ରାତି ୮ଟା ୨୦ ସମୟରେ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଦ୍ରୁତ ବେଗରେ ଯାଉଥିବାବେଳେ ରେଳ ଲାଇନ୍‌ରେ ରଖାଯାଇଥିବା ଏଲ୍‌ପିଜି ସିଲିଣ୍ଡରରେ ଧକ୍କା ହୋଇ ଅଟକିଯିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ରେଳ ଲାଇନରେ ଏଲ୍‌ପିଜି ସିଲିଣ୍ଡର ସମେତ ପେଟ୍ରୋଲ ବୋତଲ, ଦିଆସିଲି ଆଦି ରଖାଯାଇଥିଲା । ସୌଭାଗ୍ୟବଶତଃ ସିଲିଣ୍ଡରଟି ବିସ୍ଫୋରଣ ହୋଇ ନଥିବା ପୋଲିସ କହିଛି l ତଦନ୍ତ ବେଳେ ଘଟଣା ଘଟିଥିବା ରେଳ ଟ୍ରାକ୍‌ ନିକଟସ୍ଥ ବୁଦା ମଧ୍ୟରୁ ପେଟ୍ରୋଲ ବୋତଲ, ବାରୁଦ, ଦିଆସିଲକୁ ଜବତ କରିଛି ପୋଲିସ ।

ଏହି ଷଡ଼ଯନ୍ତ୍ରରେ ୬ ଜଣ ସାମିଲ ଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି । କାନପୁର ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଏବଂ ଅନ୍ୟାନ୍ୟ ଏଜେନ୍ସି ମାମଲାର ତଦନ୍ତ ଜାରି ରଖିଛନ୍ତି । କାନପୁର ଅତିରିକ୍ତ ପୋଲିସ କମିଶନର (ଏସିପି) ହରିଶ ଚନ୍ଦ୍ରା କହିଛନ୍ତି, ଏକ ସନ୍ଦିଗ୍ଧ ଉପକରଣ ରେଳଲାଇନରେ ଦେଖାଯିବାରୁ ଲୋକୋ ପାଇଲଟ୍‌ ବ୍ରେକ୍‌ ମାରିଥିଲେ । ତେବେ ବେଗ ବେଶି ଥିବାରୁ ଟ୍ରାକ୍‌ରେ ରଖାଯାଇଥିବା ସିିଲିଣ୍ଡର ସହ କାଳିନ୍ଦୀ ଏକ୍ସପ୍ରେସ ଧକ୍କା ହୋଇଥିଲା । ଲୋକୋ ପାଇଲଟ୍‌ଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଏକ ବଡ଼ ଧରଣର ରେଳ ଦୁର୍ଘଟଣାରୁ ରୋକାଯାଇପାରିଥିବା ଏସିପି କହିଛନ୍ତି । ଘଟଣାରେ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହୋଇନାହିଁ ।

ଘଟଣା ସମ୍ପର୍କରେ ସୂଚନା ପାଇ ଅନଓ୍ବରଗଞ୍ଜ ଷ୍ଟେଶନର ରେଳ ଅଧୀକ୍ଷକ ଏବଂ ରେଳ ସୁରକ୍ଷା ବଳ (ଆରପିଏଫ୍‌) ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସନ୍ଦିଗ୍ଧ ଉପକରଣଗୁଡ଼ିକୁ ଯାଞ୍ଚ ପାଇଁ ଫରେନ୍ସିକ୍‌ ଲ୍ୟାବ୍‌କୁ ପଠାଯାଇଛି। ଘଟଣାସ୍ଥଳରେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌(ଏଟିଏସ୍‌)ର କାନପୁର ଏବଂ ଲକ୍ଷ୍ମୌ ୟୁନିଟ୍‌ ଏବଂ ଜାତୀୟ ତଦନ୍ତ ଏଜେନ୍ସି (ଏନ୍‌ଆଇଏ)ର ୫ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାନପୁର ଏସିପି କହିଛନ୍ତି l

ରେଲଓ୍ବେ ପକ୍ଷରୁ ଶିବରାଜପୁରରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ବିସ୍ଫୋରକ ସାମଗ୍ରୀ ଆଇନ ଏବଂ ରେଲଓ୍ବେ ଆକ୍ଟ ଅନୁଯାୟୀ ଏତଲା ଦାଏର ହୋଇଥିବା ପୋଲିସ କହିଛି। ଅନ୍ୟପଟେ ଏବେ ରାଜସ୍ଥାନରେ ସମାନ ଘଟଣା ଘଟିବା ପରେ ଏହା ପଛରେ ଷଡଯନ୍ତ୍ର ଥିବା ଅନୁମାନ କରାଯାଉଛି। ଅର୍ଥାତ ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ କରିବା ସହ ଧନଜୀବନ ହାନୀ ନିମନ୍ତେ ଏପରି ଭୟଙ୍କର ଷଡଯନ୍ତ୍ର କରାଯାଇଥିବାର ଦୁର୍ଗନ୍ଧ ବାରି ହୋଇ ପଡ଼ୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com