ଓଡ଼ିଶା

୭ଟି ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ଦେଲେ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଆଜି ଅର୍ଥାତ 1୨ ସେପ୍ଟେମ୍ବର 2024 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ବିଭିନ୍ନ ବିଭାଗରେ ୪୭୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଏହି ଅବସରରେ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ପାଇଁ ପ୍ରଥମ କର୍ମନିଯୁକ୍ତିର ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଆନନ୍ଦଦାୟକ ହୋଇଥାଏ । ଆପଣମାନେ ଲୋକଙ୍କ ସେବାରେ ନିଯୁକ୍ତ ହେଉଛନ୍ତି । ଏହି ସେବା କେବଳ ଏକ କର୍ମନିଯୁକ୍ତି ନୁହେଁ, ଏହା ଆପଣମାନଙ୍କ ପାଇଁ ଏକ ଗୁରୁଦାୟିତ୍ୱ । ଗଣତନ୍ତ୍ରରେ ସରକାର ହେଉଛନ୍ତି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଜନସାଧାରଣଙ୍କ ସମସ୍ୟା ଓ ତା’ର ସମାଧାନ, ସରକାର ଓ ସରକାରୀ କର୍ମଚାରୀଙ୍କ ଦାୟିତ୍ୱ ।

ସରକାରଙ୍କ ଜନହିତକାରୀ ଯୋଜନାର ସୁଫଳ କିଭଳି ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ପହଞ୍ଚି ପାରିବ, ଏହାକୁ ନିଶ୍ଚିତ କରିବା ସରକାରୀ କର୍ମଚାରୀଙ୍କ ଦାୟିତ୍ୱ । ସରକାର ଯୋଜନା ଓ କାର୍ଯ୍ୟକ୍ରମ ତିଆରି କରିବେ। କିନ୍ତୁ ସେ ସବୁକୁ ପରିଚାଳନା ଓ କାର୍ଯ୍ୟକାରୀ କରିବା ଆପଣମାନଙ୍କ ଦାୟିତ୍ୱ । ଆପଣମାନଙ୍କ ନିଷ୍ଠା ଓ କର୍ମପ୍ରବଣତା ଯଦି ଜନ ସାଧାରଣଙ୍କ ମୁହଁରେ ହସ ଫୁଟାଇ ପାରିଲା, ତେବେ ତାହା ହିଁ ହେବ ଆପଣଙ୍କ ନିଯୁକ୍ତିର ଯଥାର୍ଥତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ l

ପୂର୍ବ ସରକାର, ସରକାରୀ ଚାକିରୀରେ ପଦବୀ ପୂରଣ ଓ ଆତ୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନେବାରେ ବିଫଳ ହୋଇଥିଲେ। ଆମ ନୂଆ ସରକାର ନିଷ୍ପତ୍ତି ନେଇଛନ୍ତି ଆଗାମୀ ୫ ବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ । ଆଜି ଏହାର ମୂଳଦୁଆ ପଡିଲା । ଏଣିକି ସବୁ ଚୟନ ପଦ୍ଧତି ମେରିଟ୍ ଆଧାରରେ ହେବ। ଏଥି ସହିତ ଶିଳ୍ପ କ୍ଷେତ୍ରରେ ୩.୫୦ ଲକ୍ଷ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ପଦକ୍ଷେପ ନେଉଛୁ ବୋଲି ସେ କହିଥିଲେ ।

ନୂତନ ଭାବେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ କର୍ମ କ୍ଷେତ୍ରରେ କର୍ତ୍ତବ୍ୟପରାୟଣତା, ସମୟାନୁବର୍ତ୍ତିତା, ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେବା ସହିତ ଲୋକଙ୍କ ଅଭିଯୋଗ ଶୁଣାଣୀକୁ ପ୍ରାଥମିକତା ଦେଇ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ, କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com