Uncategorizedଓଡ଼ିଶାରାଜନୀତି

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; କେମିତି ରହିଛି ସୁରକ୍ଷା ବ୍ୟବସ୍ଥା, ଜାଣନ୍ତୁ

ଭୁବନେଶ୍ବର: ୧୭ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ। ନିଜ ଜନ୍ମଦିନରେ ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ଅର୍ଥାତ ଆସନ୍ତାକାଲି ମୋଦି ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଟ୍ରାଫିକ ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୮୧ପ୍ଲାଟୁନ ଫୋର୍ସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ରହିବେ ।

ଏଥିସହିତ ଭୁବନେଶ୍ବର ବିମାନବନ୍ଦରରୁ ଜନତା ମଇଦାନ ଓ ଗାଡକଣ ପର୍ଯ୍ୟନ୍ତ ଅଞ୍ଚଳକୁ ନୋ-ଫ୍ଲାଇଂ ଜୋନ ଘୋଷଣା କରାଯାଇଛି । ୧୭ତାରିଖରେ ଏହି ଅଞ୍ଚଳରେ କୌଣସି ବିମାନ ଚଳାଚଳ ଉପରେ ନିଷେଧାଦେଶ ଜାରି କରାଯାଇଛି । ୮୧ପ୍ଲାଟୁନ ଫୋର୍ସ ସହିତ ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ମୁତୟନ ରହିବେ ବୋଲି କଟକ-ଭୁବନେଶ୍ବର ପୁଲିସ ଆୟୁକ୍ତ ସଞ୍ଜୀବ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପୁଲିସ ଆୟୁକ୍ତ ପଣ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ବ୍ୟାରିକେଡ୍ ହେବ । ଏହାଛଡ଼ା ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ କଟକଣା ଲାଗୁ ହେବ । ସାଧା ପୋଷାକରେ ବି ପୁଲିସ ବୁଲିବେ । ଗୁଇନ୍ଦା ବିଭାଗ ଅଧିକ ସକ୍ରିୟ ରହିଛି । ସଭାସ୍ଥଳରେ ସିଆରପିଏଫ ସହିତ ସାଧା ପୋଷାକରେ ପୁଲିସ ମୁତୟନ ରହିବେ ବୋଲି ପଣ୍ଡା କହିଛନ୍ତି । ଅନ୍ୟପଟେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି ହୋଇଛି ।

ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ହେବ। ଏହା ସହ ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବାକୁ ପଡ଼ିବ। ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ମଧ୍ୟ ଯାଇପାରିବେ।ଜରୁରୀକାଳୀନ ସେବା ଫାୟାର, ଆମ୍ବୁଲାନ୍ସ ପାଇଁ କଟକଣା ନାହିଁ । ଜନତା ମଇଦାନରେ ସେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ।

ଏହା ସହ ଆଉ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସକାଳ ୧୧ଟା ୩୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସେ ସିଧା ଜନତା ମଇଦାନ ଯିବେ। ପୂର୍ବାହ୍ନ ୧୨ଟାରୁ ଅପରାର୍ହ୍ନ ୧ଟା ପର୍ଯ୍ୟନ୍ତ ସେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ମୋଦିଙ୍କ ଗସ୍ତ ନିମନ୍ତେ ଭୁବନେଶ୍ୱରର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ(କାର୍ଯ୍ୟନିର୍ବାହୀ)କୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜନତା ମଇଦାନରେ ମହିଳାଙ୍କ ସମାବେଶକୁ ସୁବ୍ୟବସ୍ଥିତ ଭାବେ କରିବା ନିମନ୍ତେ ପ୍ରତି ଧାଡ଼ି ନିକଟରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଏଥିସହ ଶୌଚାଳୟ ବ୍ୟବସ୍ଥା ବି କରାଯାଇଛି ।

କାର୍ଯ୍ୟକ୍ରମ ପରେ ସେ ପୁଣି ସିଧାସଳଖ ବିମାନବନ୍ଦର ଯାଇ ନୂଆଦିଲ୍ଲୀ ଫେରିଯିବେ ବୋଲି ପୁଲିସ ଆୟୁକ୍ତ ପଣ୍ଡା କହିଛନ୍ତି। ଅପରପକ୍ଷେ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ମହାନିର୍ଦେଶକ ୱାଇ.ବି. ଖୁରାନିଆଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଜନତା ମଇଦାନ ପରିଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟ‌lନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com