ନୂଆଦିଲ୍ଲୀ: ଏଣିକି ଦେଶରେ ଏକ ସମୟରେ ହେବ ବିଧାନସଭା ଏବଂ ଲୋକସଭା ନିର୍ବାଚନ । କାରଣ ‘ୱାନ ନେସନ-ୱାନ ଇଲେକ୍ସନ’ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସଂସଦର ଆସନ୍ତା ଶୀତ ଅଧିବେଶନରେ ‘ୱାନ ନେସନ-ୱାନ ଇଲେକ୍ସନ’ ଉପରେ ଏକ ବିଲ୍ ଉପସ୍ଥାପନ କରାଯିବ।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚରେ କ୍ୟାବିନେଟ ସମ୍ମୁଖରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ । ଯେଉଁଥିରେ ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ସମ୍ପର୍କରେ ଉଲ୍ଲେଖ ରହିଥିଲା । ସେହିପରି ଲୋକସଭା ଏବଂ ବିଧାନସଭା ନିର୍ବାଚନର ୧୦୦ ଦିନ ମଧ୍ୟରେ ନଗର ନିଗମ ନିର୍ବାଚନ ମଧ୍ୟ କରିବାକୁ ସୁପାରିଶ କରାଯାଇଥିଲା ।
ତେବେ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ ଏହି କମିଟି ୬୨ଟି ରାଜନୈତିକ ଦଳର ମତ ନେଇ ‘ୱାନ ନେସନ-ୱାନ ଇଲେକ୍ସନ’ ପ୍ରସ୍ତାବ ଉପରେ ରିପୋର୍ଟ ପ୍ରସ୍ତୁତ କରିଥିଲେ । ସେଗୁଡିକ ମଧ୍ୟରୁ ଏହି ପ୍ରସ୍ତାବର ସମର୍ଥନ କରିଥିଲେ ୩୨ଟି ଦଳ । ଏହି ଦଳଗୁଡିକ ମଧ୍ୟରେ ରହିଛନ୍ତି ବିଜେପି, ଜେଡିୟୁ, ଏଲଜେପି ପ୍ରମୁଖ । ସେହିପରି ୧୫ଟି ଦଳ ଏହାକୁ ବିରୋଧ କରିବା ସହ ଅନ୍ୟ ୧୫ଟି ଦଳ ଉତ୍ତର ଦେବାକୁ ମନା କରିଦେଇଥିଲେ ।
ସେପଟେ କେନ୍ଦ୍ର କ୍ୟାବିନେଟରୁ ଅନୁମୋଦନ ପାଇବା ପରେ ‘ୱାନ ନେସନ-ୱାନ ଇଲେକ୍ସନ’ ନିଷ୍ପତ୍ତିକୁ ବିରୋଧ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ । ସେ କହିଛନ୍ତି ଯେ ଏହା ବ୍ୟବହାରିକ ନୁହେଁ , ଏହା କାମ କରିବ ନାହିଁ । ବର୍ତ୍ତମାନ ପ୍ରସଙ୍ଗରୁ ଧ୍ୟାନ ଦୂରେଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି l