ଜାତୀୟମନୋରଞ୍ଜନ

ଦିନେ IAS ହେବାକୁ ଚାହୁଁଥିଲେ ଅଭିନେତା ଅନୁ କପୁର, ହାତରେ ୪୧୯ ଟଙ୍କା ଧରି ଆରମ୍ଭ କରିଥିଲେ ବଲିଉଡ୍ ସଫର୍‌…

ମୁମ୍ବାଇ ୨୦/୦୨ : ଲକ୍ଷ୍ୟ, ଇଚ୍ଛାଶକ୍ତି,  କଡ଼ା ପରିଶ୍ରମ ଓ ଭାଗ୍ୟ। ଏସବୁ ଆମକୁ ସଫଳତାର ଶିଖରରେ ପହଁଚାଇଥାଏ। ତା ଛଡ଼ା ଏମିତି ଅନେକ ପର୍ସନାଲିଟି ଅଛନ୍ତି, ଯେଉଁମାନେ ଅଭାବ ଅନଟନ ଭିତରେ ବି ସଂଘର୍ଷ କରି ନିଜ ଲକ୍ଷ୍ୟ ହାସଲ କରି ପାରିଛନ୍ତି। ଆଉ ସାଜିଛନ୍ତି ଉଦାହରଣ।  ସେମିତି ଜଣେ ଲୋକପ୍ରିୟ ଅଭିନେତା ତଥା ଟିଭି ହୋଷ୍ଟ ହେଉଛନ୍ତି ଅନୁ କପୁର।  ଜୀବନରେ ଖୁବ୍‌ ସଂଘର୍ଷ ପରେ ସେ ଏହି ସ୍ଥାନରେ ପହଞ୍ଚିଛନ୍ତି।

୨୦ ଫେବୃଆରୀ ତଥା ଆଜି ଅନୁ ୬୬ ବର୍ଷ ବୟସରେ ପାଦ ଥାପିଛନ୍ତି।   ରେଡିଓ ଜକିରୁ ନେଇ ବଲିଉଡର ଅଭିନେତା। କେମିତି ଥିଲା ତାଙ୍କ ସଂଘର୍ଷମୟ ଯାତ୍ରା, ଆସନ୍ତୁ  ଜାଣିବା।

ଅନୁ କପୁରଙ୍କ ପୂରା ନାଁ ଅନୀଲ କପୁର। ୧୯୫୬ ଫେବୃଆରୀ ୨୦ରେ ଭୋପାଳରେ ତାଙ୍କ ଜନ୍ମ। ପିଲାଦିନୁ ସେ ଆଇଏସ୍ ଅଫିସର ହେବାକୁ ଚାହୁଁଥିଲେ। କିନ୍ତୁ ଅର୍ଥ ଅଭାବରୁ  ପାଠ ପଢ଼ା ପୂରା  କରି ପାରିନଥିଲେ। ଭାଗ୍ୟ ନେଇଗଲା ଅନ୍ୟ ରାସ୍ତାରେ।

ଅନୁ କପୁରଙ୍କ ବାପା ଥିଏଟର ଚଲାନ୍ତି। ମା ନୃତ୍ୟଶିଳ୍ପି ସହ ଜଣେ ଶିକ୍ଷୟତ୍ରୀ ଥିଲେ।  ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠପଢ଼ା ମଝିରୁ ଛାଡି, ଦିଲ୍ଲୀ ସ୍ଥିତ ସ୍କୁଲ୍‌ ଅଫ୍‌ ଡ୍ରାମାରେ ଆଡମିସନ କରିଥିଲେ।  ଏମିତି କି ଘରର ଆବଶ୍ୟକତା ପାଇଁ କେବେ ଚା’ ତ ଆଉ କେବେ ବିକୁଥିଲେ ଚୁରନ୍‌।

ଅନୁ କୁହନ୍ତି, ଯତେବେଳେ ସେ ମୁମ୍ବାଇ ଆସିଥିଲେ ତାଙ୍କ ପାଖରେ ଥିଲା ମାତ୍ର ୪୧୯ ଟଙ୍କା ୨୫ ପଇସା। ହେଲେ ଲକ୍ଷ୍ୟ ଥିଲେ ପୂରା ପକ୍କା।

ଅନେକ ସଂଘର୍ଷ ପରେ ପ୍ରଥମେ ତାଙ୍କୁ ୭୦ ବର୍ଷର ବୁଦ୍ଧଙ୍କ ଚରିତ୍ର ଅଭିନୟ କରିବାର ସୁଯୋଗ ମିଳିଥିଲା। ଆଉ ସେହି ଚରିତ୍ର ତାଙ୍କ ଜୀବନ ବଦଳାଇଦେଇଥିଲା।

ଅନୁଙ୍କ ଏହି ଚରିତ୍ରକୁ ଫିଲ୍ମ ନିର୍ମାତା ଶ୍ୟାମ୍‌ ବେନେଗଲ୍‌ ଦେଖିଥିଲେ। ଏହାପରେ ସେ ଅନୁଙ୍କୁ ଫିଲ୍ମ ‘ମଣ୍ଡି’ ପାଇଁ  କାଷ୍ଟ କରିଥିଲେ। ଏହା ପରଠୁ ଆରମ୍ଭ ହୋଇଥିଲା ଆଗକୁ ବଢ଼ିବାର ଯାତ୍ରା। ଛୋଟ ବଡ଼ ଅନେକ ଫିଲ୍ମ ଓ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ସେ ବେତାବ, ମାସାଲ, ଉତ୍ସବ ଓ ତେଜାବ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

ତେବେ ଅନୀଲ କପୁର କାହିଁକି ନିଜ ନାଁ ବଦଳାଇ ଅନୁ ରଖିଥିଲେ, ଜାଣିଛନ୍ତି ? ସେ ୟଶରାଜର ଏକ ଫିଲ୍ମରେ କାମ କରିଥିଲେ।  ଏଥିରେ ୪ଟି ଡାଇଲଗ୍‌ ବଦଳରେ ତାଙ୍କୁ ମିଳିଥାନ୍ତା ୪ହଜାର। କିନ୍ତୁ, ଭୁଲରେ ମିଳିଗଲା ୧୦ ହଜାର। ଆଉ ଅଭିନେତା ଅନୀଲ କପୁରଙ୍କୁ ମିଳିଲା ୪ ହଜାରର ଚେକ୍‌। ପରେ ଅନୀଲ ଅଭିଯୋଗ କରିଥିଲେ।  ସେବେଠୁ ଅନୁ ନିଜ ନାଁ ବଦଳାଇ ଅନୀଲରୁ ଅନୁ ରଖିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com