ଓଡ଼ିଶାରାଜନୀତି

ବିଜେପିରେ ନେତା ପୁଅ ନେତା ହୁଏ ନାହିଁ: ଜେପି ନଡ୍ଡା

ଭୁବନେଶ୍ବର: ବିଜେପିରେ ନେତାଙ୍କ ପୁଅ ନେତା ହୁଏନି । ହେଲେ କଂଗ୍ରେସରେ ନେତାଙ୍କ ପୁଅ ନେତା ହୁଅନ୍ତି ।ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ । ଏଠାରେ ନେତାଙ୍କ ପୁଅ କାର୍ଯ୍ୟକର୍ତ୍ତା ହୁଏ । ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନରେ ଯୋଗଦେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏହା କହିଛନ୍ତି ।

ଭୁବନେଶ୍ଵରେ ଆୟୋଜିତ ସଦସ୍ୟତା ଅଭିଯାନ ଏବଂ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମରେ ନୂତନ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇ ନଡ୍ଡା କହିଥିଲେ, ଭାରତରେ ୫ ହଜାର ଦଳ ରହିଛନ୍ତି । ସେଥିରୁ ୫୦ରୁ ଅଧିକ ଦଳ କାର୍ଯ୍ୟକ୍ଷମ ଅଛନ୍ତି । ହେଲେ ବିଜେପି ଦେଶର ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ ଦଳ। ବିଜେପି ସ୍ଵଚ୍ଛତାର ସହିତ ସଦସ୍ୟ ସଂଗ୍ରହ କରେ । ଆପଣମାନେ କେବେ କଂଗ୍ରେସରେ ଏମିତି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ନଡ୍ଡା ପ୍ରଶ୍ନ କରିଥିଲେ ।

ସଦସ୍ୟତା ଗ୍ରହଣ ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ । ସେପ୍ଟେମ୍ବର ୨ରୁ ବର୍ତ୍ତମାନ ସୁଦ୍ଧା ୬ କୋଟି ନୂଆ ସଦସ୍ୟ ସୃଷ୍ଟି ହୋଇଛନ୍ତି ବୋଲି ନଡ୍ଡା କହିଥିଲେ । ସେ ଆହୁରି କହିଥିଲେ, କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ସମ୍ବିଧାନକୁ ସାର୍ବଭୌମ କରାଯାଇଛି । ଧାରା ୩୭୦ ହଟିବା ପରେ କାଶ୍ମୀରରେ ପ୍ରଥମ ଥର ଭୋଟ ହେଉଛି ।

ସେହିପରି ମୋଦୀଙ୍କ ନେତୃତ୍ଵରେ ଦେଶ ବିଶ୍ଵର ୫ମ ବୃହତ୍ତ ଅର୍ଥଶକ୍ତିରେ ପରିଣତ ହୋଇଛି । ଖୁବଶୀଘ୍ର ୩ୟ ବୃହତ୍ତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ମୋଦୀଙ୍କ ନେତୃତ୍ଵରେ ମୁସଲମାନ ଭାଇଭଉଣୀଙ୍କୁ ନ୍ୟାୟ ମିଳିଛି । ତିନି ତଲାକକୁ ଉଚ୍ଛେଦ କରାଯାଇଛି । ପାକିସ୍ତାନ, ଇରାନ ଏବଂ ବାଂଲାଦେଶରେ ତିନି ତଲାକ ନାହିଁ ।

କିନ୍ତୁ ଭାରତରେ ଧର୍ମନିରପେକ୍ଷତା ନାଁରେ ତିନି ତଲାକ ଦୀର୍ଘ କାଳ ଧରି ଚାଲିଆସିଥିଲା । ଅନ୍ୟପଟେ ନାଁ ନ ନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କରିଛନ୍ତି ନଡ୍ଡା ।ଭଉଣୀ- ଭାଇଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ। ସବୁ ବେଳେ କେବଳ ଦୁଇଟି କଥା ଦେଖାଯାଉଛି। ତାହା ହେଲା ବେକାରୀ ଓ ଦରଦାମ ବୃଦ୍ଧି । ସେମାନଙ୍କ ଅଭିଧାନରେ ଯେମିତି ଆଉ କିଛି ନାହିଁ ।

ଏଥିସହ କଂଗ୍ରେସ୍ ନକ୍ସଲଙ୍କ ମୁଖପାତ୍ର ହୋଇଯାଇଛି ଓ ଶ୍ରୀନଗରରେ ଧାରା ୩୭୦ଆଣିବାକୁ ସେମାନଙ୍କ ସହ ହାତ ମିଶାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ନଡ୍ଡା। ସେ ଆହୁରି କହିଛନ୍ତି, ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୩୭୦ ଧାରା ଉଚ୍ଛେଦ ହେଲା। ପ୍ରଧାନମନ୍ତ୍ରୀ ମୋଦି ଏହା ବିରୋଧରେ ଲଢି ଏହାକୁ ଉଚ୍ଛେଦ କଲେ ।

ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା। ଏବେ ସେଠାରେ ବିଧାନସଭା ନିର୍ବାଚନ ହେଉଛି । ପୁଣି ସଦ୍ୟସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଚାଲିଛି। ଆଜି ଆମ ପାର୍ଟିରେ ୧୦ଲକ୍ଷ ୪୦ହଜାର ବୁଥ୍ ଅଛି। ଦେଢ ଲକ୍ଷ ଶକ୍ତି କେନ୍ଦ୍ର, ୧୫ହଜାରରୁ ଅଧିକ ମଣ୍ଡଳ ରହିଛି। ଆଜି ପ୍ରାୟ ୩୫୦ ପାର୍ଲାମେଣ୍ଟ ମେମ୍ୱର ଅଛନ୍ତି ।

ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତ ୨୦୪୭ରେ ସାମିଲ ହେବାକୁ ଆମେ ଆପଣଙ୍କୁ ଆହ୍ୱାନ ଦେଉଛୁ। ଏଥିପାଇଁ ଆପଣ ସମସ୍ତେ ଏକାଠି ହୋଇ ଆମକୁ ସମର୍ଥନ କରନ୍ତୁ ବୋଲି ନଡ୍ଡା କହିଛନ୍ତି । ସୂଚନା ଅନୁସାରେ, ନଡ୍ଡା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଉପମୁଖ୍ୟମନ୍ତ୍ରୀ ଭବ୍ୟ ସ୍ବାଗତ ଜଣାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com