ଓଡ଼ିଶା

ଭଦ୍ରକରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ; ୧୬୩ ଧାରା ଲାଗୁ, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ୱର: ଭଦ୍ରକରେ ବନ୍ଦ ହୋଇଛି ଇଣ୍ଟରନେଟ୍ ସେବା । ସୋସିଆଲ ମିଡିଆରେ ଧାର୍ମିକ ଭାବନା କ୍ଷୂର୍ଣ୍ଣ ହେଲା ଭଳି ପୋଷ୍ଟକୁ ନେଇ ଉତ୍ତେଜନା ପରେ ଭଦ୍ରକ ଜିଲ୍ଲାର ପୁରୁଣାବଜାର ଅଞ୍ଚଳ ଶୁକ୍ରବାର ଅଶାନ୍ତ ହୋଇଛି ।

ଭଦ୍ରକ ମୋଚି ଛକ-ପୁରୁଣାବଜାର ରାସ୍ତା ସାଳନ୍ଦୀ ନଦୀର ସନ୍ଥିଆ ପୋଲ ଉପରେ ଶତାଧିକ ଯୁବକ ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ହଟାଇବାକୁ ଯାଇ ପୁଲିସ୍‌ ଆନ୍ଦୋଳନକାରୀଙ୍କ ଆକ୍ରମଣର ଶିକାର ହୋଇଛି । ପୁଲିସ୍‌ ଅଧିକାରୀ ଲହୁଲୁହାଣ ହୋଇଛନ୍ତି । ଢେଲା ପଥର ମାଡ଼ରେ ସିଟିଡିଏସପିଙ୍କ ସମେତ ଜଣେ ଏସ୍‌ଆଇ ଆହତ ହୋଇଛନ୍ତି ।

ମାଜିଷ୍ଟ୍ରେଟ୍‌ ଭାବେ ଯାଇଥିବା ସଦର ତହସିଲଦାରଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା ହୋଇଛି । ସ୍ଥିତିକୁ ସମ୍ଭାଳିବାକୁ ଯାଇ ପୁଲିସ୍‌ ମୃଦୁ ଲାଠି ଚାଳନା କରିବାରୁ ଆନ୍ଦୋଳନକାରୀ ଛତ୍ରଭଙ୍ଗ ଦେଇଥିଲେ । ପରେ ପୁରୁଣାବଜାର ଥାନା ଅଞ୍ଚଳରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୬୩ ପୁରୁଣା ଆଇନ ୧୪୪ ଲାଗୁ ହୋଇଛି । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ‌ସେବା ଉପରେ କଟକଣା ଜାର ହୋଇଛି ।

ଭଦ୍ରକ ଉପିଜଲ୍ଲାପାଳ ମନୋଜ ପାତ୍ରଙ୍କ ଆଦେଶକ୍ରମେ ଧାରା ୧୬୩ ଲାଗୁ ହେବା ସହ ସଦର ତହସିଲଦାରଙ୍କୁ ମାଜିଷ୍ଟ୍ରେଟ୍‌ ଭାବେ କ୍ଷମତା ଦିଆଯାଇଛି । ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ଏସ୍‌ପି, ଡିଏସ୍‌ପିଙ୍କ ସମେତ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ନେତୃତ୍ୱରେ ପୁରୁଣା ବଜାର ଥାନା ଅଧୀନ ନଂଘା ମହଲା ଅଞ୍ଚଳରେ ପିକେଟିଂ କରାଯାଇଛି । ସନ୍ଧ୍ୟା ପୂର୍ବରୁ ଦୋକାନ ବଜାର ବନ୍ଦ କରାଯାଇଛି ।

୫ ଜଣରୁ ଅଧିକ ଏକାଠି ନ ହେବାକୁ ଡାକବାଜି ଯୋଗେ ତାଗିଦ କରାଯାଇଛି । ଅନ୍ୟପଟେ ଦୋବଲ ଓ ଧାମନଗର ଅଞ୍ଚଳରେ ମଧ୍ୟ ଉତ୍ତେଜନା ଦେଖାଦେଇଛି । ଶତାଧିକ ଲୋକ ଧାମନଗର ଥାନା ଘେରାଉ କରିଥିଲେ । ତୁରନ୍ତ ଅଭିଯୁକ୍ତକୁ ଗିରଫ ପାଇଁ ଦାବି କରିଥିଲେ । ପରେ ସାନ ବଜାର ଛକରେ ଟାୟାର ଜାଳି ପ୍ରତିବାଦ କରି ରାସ୍ତା ରୋକ କରିଥିଲେ ।

ପରିସ୍ଥିତିକୁ ନଜରରେ ରଖି ଧାମନଗର ଏନ୍‌ଏସି ଓ ଦୋବଲ ବଜାରରେ ମଧ୍ୟ ୧୬୩ ଧାରା ଲାଗୁ ହୋଇଛି । ପୋଲିସ ଆକ୍ରମଣ ଘଟଣା ୧୦ ଜଣ ଗିରଫ ହୋଇଥିବା ସିଟି ଡିଏସପି ଅଂଶୁମାନ ଦ୍ବିବେଦୀଙ୍କ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ଏକ ଗୋଷ୍ଠୀର ସୋସିଆଲ ମିଡିଆରେ ବାର୍ତ୍ତାଳାପକୁ ନେଇ ଶୁକ୍ରବାର ସହରରେ ଅକସ୍ମାତ ରାଲି ବାହାରିଥିଲା ।

ସନ୍ଥିଆ ପୋଲ ଉପରେ ଜଳାପୋଡ଼ା କରି ନାରାବାଜି କରାଯାଇଥିଲା । ଆନ୍ଦୋଳନକୁ ପ୍ରଶମିତ କରିବାକୁ ପୁଲିସ୍‌ ଯାଇଥିଲା । ରାସ୍ତା ଉପରେ ଜଳାପୋଡ଼ା କରୁଥିବା ଆନ୍ଦୋଳନକାରୀଙ୍କୁ ପୁଲିସ୍‌ ବୁଝାସୁଝା କରିବାକୁ ଯିବାବେଳେ ଅଚାନକ ଢେଲାପଥର ମାଡ଼ ହୋଇଥିଲା ।

ଏଥିରେ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଟାଉନ୍‌ ଥାନା ଏସ୍‌ଆଇ ରୋଶନ ମୁର୍ମୁଙ୍କୁ ମୁଣ୍ଡ ଫାଟିଛି । ତହସିଲଦାର ସଂଗ୍ରାମକେଶରୀ ପ୍ରିୟଦର୍ଶନ ଖୁଣ୍ଟିଆଙ୍କ ଗାଡ଼ି କାଚ ଭାଙ୍ଗିଛି ।

ଏହା ପରେ ମୃଦୁ ଲାଠିଚାଳନା କରାଯାଇଛି । ପୁଲିସ୍‌ ବିକ୍ଷୋଭକାରୀଙ୍କୁ ଘଉଡ଼ାଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୬୩ ଲାଗୁ ହୋଇଛି । ଏଥି ସହିତ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ‌ସେବା ଉପରେ କଟକଣା ଜାର ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com