ନୂଆଦିଲ୍ଲୀ: ପ୍ରଖ୍ୟାତ ପରିବେଶବିତ ସୋନମ ୱାଙ୍ଗଚୁକ୍ ଅଟକ। ସିଂଘୁ ସୀମାରେ ସୋନମ ୱାଙ୍ଗଚୁକ୍ ପରିବେଶ ଓ ସାମ୍ବିଧାନିକ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଭାବେ ପଦଯାତ୍ରା କରିଥିବା ଶତାଧିକ ଲଦାଖବାସୀଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ ।
ଏହାକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିଲ୍ଲୀ ପୋଲିସକୁ କଡ଼ା ସମାଲୋଚନା କରିଛନ୍ତି । ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ପ୍ରତି ସରକାରଙ୍କ ଏପରି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ରାହୁଲ କହିଛନ୍ତି ।
ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ,’ଲଦାଖର ଭବିଷ୍ୟତ ପାଇଁ ଠିଆ ହୋଇଥିବା ବୟସ୍କମାନଙ୍କୁ ଦିଲ୍ଲୀ ସୀମାରେ କାହିଁକି ଅଟକାଯାଉଛି? ଲଦାଖର ସ୍ୱର ଶୁଣିବା ଦରକାର । ‘ସୋମବାର ବିଳମ୍ବିତ ରାତିରେ ପରିବେଶବିତ୍ ସୋନମ ୱାଙ୍ଗଚୁକ୍ ଏବଂ ତାଙ୍କ ୧୫୦ ସମର୍ଥକଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି ।
ଏହାର ଜବାବରେ ୱାଙ୍ଗଚୁକ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ଖବର ସେୟାର କରିଛନ୍ତି।ସେ କହିଛନ୍ତି ଯେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ମହାତ୍ମା ଗାନ୍ଧୀଙ୍କ ସମାଧି ଅଭିମୁଖେ ଯାତ୍ରା କରୁଥିବା ବେଳେ ପୁଲିସ ଫୋର୍ସ ହସ୍ତକ୍ଷେପ କରିଥିଲେ ।
ଦିଲ୍ଲୀ ସୀମାରେ ମୋତେ ଏବଂ ମୋର ୧୫୦ ଜଣ ସହଯୋଗୀଙ୍କୁ ଅଟକ ରଖିଛନ୍ତି। ଏମାନଙ୍କ ମଧ୍ୟରେ ୮୦ ବର୍ଷରୁ ଅଧିକ ବୟସ୍କ ବହୁ ବୟସ୍କ ପୁରୁଷ ଓ ମହିଳା ଏବଂ କିଛି ଡଜନ ସେନାର ଯବାନ ରହିଛନ୍ତି । ଆଗକୁ କ’ଣ ହେବ ଆମେ ଜାଣିନାହୁଁ ବୋଲି ୱାଙ୍ଗଚୁକ୍ ଲେଖିଛନ୍ତି ।
ଅନ୍ୟପଟେ ଦିଲ୍ଲୀ ପୁଲିସ ସୁନିଶ୍ଚିତ କରିଛି ଯେ, ସହରର ସୀମାରେ ବିଏନ୍ଏସ୍ ଆଇନର ଧାରା ୧୬୩ ଲାଗୁ କରାଯାଇଛି,ଯାହା ସାମାଜିକ କର୍ମୀଙ୍କ ଗତି ବିଧିଉପରେ ପ୍ରତିବନ୍ଧକ ଲଗାଇଛି ।