ଭୁବନେଶ୍ବର: ହରିୟାଣା ଓ ଜମ୍ମୁ କାଶ୍ମୀରରେ ନିର୍ବାଚନ ବିଭିନ୍ନ ଏକଜିଟ ପୋଲର ଫଳାଫଳକୁ ନେଇ ଦେଶର ବିଭିନ୍ନ ମହଲରେ ଆରମ୍ଭ ହୋଇଛି ଆଲୋଚନା l ଏନେଇ ଆସିବାକୁ ଥିବା ନିର୍ବାଚନ ରେଜଲ୍ଟ ବୁଥ୍ ବାହୁଡ଼ା ମତ ଇଣ୍ଡିଆ ମେଣ୍ଟ ସପକ୍ଷରେ ରହିଛି ।
ତେବେ ଓଡିଶାରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟରେ ଥିବା ଦଳର ନେତା ଯେତିକି ଖୁସି, ବିଜେଡି ନେତା ତା’ଠୁ ବେଶି ଉତ୍ସାହିତ । ବିଜେଡି ନେତା ଖୋଲାଖୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ବିଜେଡି ନେତାଙ୍କ ଏପରି ଆଭିମୁଖ୍ୟକୁ ନେଇ ନୂଆ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏପରିକି ଦୀର୍ଘବର୍ଷ ହେଲା ସମଦୂରତ୍ବ କଥା କହି ଆସୁଥିବା ବିଜେଡି ଏବେ ଇଣ୍ଡିଆ ମେଣ୍ଟ ଆଡ଼କୁ ଢଳୁଥିବା ଚର୍ଚ୍ଚା ଜୋର୍ ଧରିଛି। ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟ ଦିନକୁ ଦିନ ସୁଦୃଢ଼ ହେଉଛି l ସାମାଜିକ ଗଣମାଧ୍ୟମରେ ଆମେ ଦେଖୁଛୁ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢୁଛି। ଇଣ୍ଡିଆ ମେଣ୍ଟରେ ବିଜେଡି ମିଶିବ କି ନାହିଁ, ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ଦେବାଶିଷ ।
ସେହିପରି ପରୋକ୍ଷରେ ଇଣ୍ଡିଆ ମେଣ୍ଟ କଥା କହି ଆମ ଦେଶ ଇଣ୍ଡିଆ ଆଗକୁ ବଢୁ ବୋଲି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଦୁଇ ବରିଷ୍ଠ ନେତାଙ୍କ ଏଭଳି ବୟାନ ବିଜେଡିର ଗତି କୁଆଡ଼େ ତାହା ଇଙ୍ଗିତ କରୁଛି । କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଯେ, ସାରା ଦେଶରେ କଂଗ୍ରେସ ମଜଭୁତ ହେଉଛି। ଓଡ଼ିଶାରେ ପ୍ରଭାବ ପଡ଼ିସାରିଲାଣି ।
ଯିଏ ଏହି ମହାନ ସ୍ରୋତରେ ସାମିଲ ନହେବ ସିଏ ପଛରେ ରହିଯିବ । ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଓଡ଼ିଶାରେ ବିଜେପିର ଲୋକପ୍ରିୟତା ବଢୁଥିବାରୁ ବିଜେଡିର ଆଚରଣ ବଦଳିଛି । ଦଳ ଇଣ୍ଡିଆ ମେଣ୍ଟକୁ ସମର୍ଥନ କଲେ ବି ଓଡ଼ିଶାରେ ତା’ର କିଛି ପ୍ରଭାବ ପଡ଼ିବ ନାହିଁ ।