ଓଡ଼ିଶା

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା; ସ୍ମାର୍ଟସିଟି ହେବ କଟକ

ଭୁବନେଶ୍ୱର: କଟକରେ ପୂଜା ମଣ୍ତପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏହି ଅବସରରେ ଦଶହରା ପୂଜାରେ କଟକବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ l ଏନେଇ କଟକବାସୀଙ୍କ ସୌଜନ୍ୟତା ଓ ଭାଇଚାରାରେ ଅଭିଭୂତ ହୋଇ ମୁଖ୍ୟମନ୍ତ୍ରୀ କଟକବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ସେମାନଙ୍କ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆ ସରକାର ନୂଆ ଆଶା ଉଦ୍ଦୀପନା ନେଇ ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ ଆସିଛି । ୧୦୦୦ ବର୍ଷର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବହନ କରୁଥିବା କଟକ ସହରର ସର୍ବାଙ୍ଗୀନ ବିକାଶ ସହ ଏହାକୁ ସ୍ମାର୍ଟ ସିଟି କରିବା ଏବଂ କଟକ-ଭୁବନେଶ୍ୱରକୁ ଟୁଇନ୍‌-ସିଟି ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ପ୍ରଯତ୍ନ କରୁଛନ୍ତି । ଓଡ଼ିଶା ଆଗାମୀ ଦିନରେ ବିକଶିତ ଓଡ଼ିଶା ହେବ, ସମୃଦ୍ଧ ଓଡ଼ିଶା ହେବ ।

ବିକାଶର ଏହି ଯାତ୍ରା କଟକରୁ ଆରମ୍ଭ ହେବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଓଡ଼ିଶାକୁ ଭଲ ପାଆନ୍ତି ଏବଂ ପୂର୍ବୋଦୟର ବିକାଶ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରତାପନଗରୀରେ ଦୁର୍ଗାମେଢ଼ ଦେଖିବା ପରେ ଚାଉଳିଆଗଞ୍ଜ, ଶିଖରପୁର, ଯୋବ୍ରା, ରାଣୀହାଟ, କଲେଜ ଛକ, ଛତ୍ରବଜାର, ମଧୁପାଟଣା, ଖାନନଗର, ପିଠାପୁର, ଝୋଲାସାହି, ଦରଘାବଜାର, ଚୌଧୁରୀବଜାର, ଚାନ୍ଦିନୀଚୌକ, ତୁଳସୀପୁର, ସିଡିଏ ସେକଟର ୬ ଓ ୭, ବିଡାନାସୀ, ମାତାମଠ ସହ ପ୍ରାୟ ୪୦ଟି ଦୁର୍ଗାମେଢ଼ ପରିଦର୍ଶନ କରିଥିଲେ ।

ପ୍ରତି ପୂଜାମଣ୍ଡପରେ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଉତ୍ସାହର ସହ ସ୍ୱାଗତ କରିଥିବାବେଳେ ଆୟୋଜକ କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ମନ୍ତ୍ରୀ ସମୀର ଦେ ଏବଂ ବରିଷ୍ଠ କର୍ମକର୍ତ୍ତାମାନେ ପୂଜା ମଣ୍ଡପ ବୁଲି ଦେଖିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com