ଓଡ଼ିଶା

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ ବରପୁତ୍ରଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହେବ। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି । ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା କାର୍ଯ୍ୟନିମନ୍ତେ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ବିଭିନ୍ନ ଲୋକପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଜିଲ୍ଲା ପ୍ରଶାସନ ଠାରୁ ହସ୍ତଗତ ହୋଇଥିବା ପ୍ରସ୍ତାବ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ଏକ ସାରଣୀ ପ୍ରସ୍ତୁତ କରାଯାଇଥିଲା । ସେହିପରି ସଂସ୍କୃତି ମନ୍ତ୍ରୀ ସୂରଜ କହିଛନ୍ତି ଯେ, ଭାରତବର୍ଷର ସ୍ୱାଧୀନତା, ଓଡ଼ିଶା ପ୍ରଦେଶର ସ୍ୱତନ୍ତ୍ରତା, ଆମ ଭାଷା ଓ ସାହିତ୍ୟକୁ ନିଜର ଲେଖନୀ ଚାଳନା ମାଧ୍ୟମରେ ରୁଦ୍ଧିମନ୍ତ କରିବା ଏବଂ ଓଡ଼ିଶାର ଐତିହ୍ୟ ଏବଂ ଓଡ଼ିଆ ସଂସ୍କୃତିର ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ଆମ ବରପୁତ୍ରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ଆମ ସ୍ୱାଧୀନତା ଓ ସ୍ୱାଭିମାନ ପାଇଁ ବଳିଦାନ ଦେଇଥିବା ଏବଂ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ରକ୍ଷକ ଭାବେ କାର୍ଯ୍ୟକରିଥିବା ବରପୁତ୍ରମାନେ ହେଲେ ଆମ୍ଭମାନଙ୍କ ପାଇଁ ଚିରନମସ୍ୟl ସେମାନଙ୍କର କାର୍ଯ୍ୟ ଏବଂ ମୂଲ୍ୟବୋଧ ଚିରସ୍ମରଣୀୟ ଓ ଆମ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ । ତେଣୁ ପ୍ରାଥମିକତା ଭିତ୍ତିରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ସ୍ଥାପନା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ସୂରଜ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com