କ୍ରୀଡ଼ା

ନୈରାଶ୍ୟଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ; ୪୬ ରନରେ ଅଲଆଉଟ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଟେଷ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଆଜି ପ୍ରଥମ ଟେଷ୍ଟର ୨ୟ ଦିନ ଥିବା ବେଳେ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଭାରତ ଅଲ୍‌ଆଉଟ୍‌ କରିଛି ନ୍ୟୁଜିଲାଣ୍ଡ । କୌଣସି ରନ୍‌ ନକରି ୫ ଖେଳାଳି ଆଉଟ୍‌ ହୋଇଛନ୍ତି । କୋହଲି, ସର୍ଫରାଜ, ଜାଡେଜା, କେ.ଏଲ ରlହୁଲ ଓ ଆର. ଅଶ୍ୱିନ ବିନା କୌଣସି ସ୍କୋର କରି ଆଉଟ ହୋଇଛନ୍ତି । ନୁ୍ୟଜିଲାଣ୍ଡର ହେନରୀଙ୍କୁ ୫ ୱିକେଟ ମିଳିଥିବାବେଳେ ରାଉରକେଙ୍କୁ ୪ଟି ୱିକେଟ ମିଳିଛି । ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍।

ଗତକାଲିଠାରୁ ମ୍ୟାଚ୍ ଆରମ୍ଭ ହୋଇ ଥିବାବେଳେ ପ୍ରଥମ ଦିନର ଖେଳକୁ ବର୍ଷା ଧୋଇ ନେଇଥିଲା । ବର୍ଷା ଲାଗି ରହିବାରୁ ମ୍ୟାଚ୍ ଆରମ୍ଭ ହୋଇପାରି ନଥିଲା ଫଳରେ ଆଜି ମ୍ୟାଚ୍ ଆରମ୍ଭ ହୋଇଥିଲା । ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ପ୍ରଥମ ଇନିଂସରେ ଦଳ ମାତ୍ର ୪୬ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି । ଅନ୍ୟପଟେ ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଖେଳା ଯାଉଥିବା କୌଣସି ଟେଷ୍ଟରେ ଭାରତର ଟପ୍‌ ୭ ବ୍ୟାଟରଙ୍କ ମଧ୍ୟରୁ ୪ ଜଣ ବ୍ୟାଟର ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି । ୧୯୬୯ ପରେ ପ୍ରଥମଥର ପାଇଁ ଭାରତ ୬ ୱିକେଟ ହରାଇ ୩୪ ରନ କରିବାର ଲଜ୍ଜାମୁଣ୍ଡାଇଛି ।

ପୂର୍ବରୁ ୧୯୬୯ରେ ହାଇଦ୍ରାବାଦ ଟେଷ୍ଟରେ ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୬ ୱିକେଟ ହରାଇ ୨୭ ରନ କରିଥିଲା । ପନ୍ତ ଓ ଜୈସୱାଲଙ୍କୁ କିଛି ସମୟ ଛାଡ଼ି ଦେଲେ ବାକି ବ୍ୟାଟର କ୍ୱିୱି ଟିମର ସୁଇଂକୁ ବୁଝି ପାରି ନଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ଝଡ଼ିବା ସହ ପ୍ରଥମେ ବ୍ୟାଟିଂ କରିବା ଭାରତ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । କେବଳ ଟସ୍‌ ନୁହେଁ, ଭାରତ ମଧ୍ୟ ତା’ ବୋଲିଂ କମ୍ବିନେସନରେ ଗୋଟିଏ ପରିବର୍ତ୍ତନ କରିଛି । ବେଙ୍ଗାଲୁରୁ ଟେଷ୍ଟରେ ଦଳ କୁଲଦୀପ ଯାଦବଙ୍କ ରୂପରେ ଅତିରିକ୍ତ ସ୍ପିନରଙ୍କୁ ଖେଳାଉଛନ୍ତି । ଦ୍ରୁତ ବୋଲର ଆକାଶ ଦୀପଙ୍କ ବଦଳରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖାଯାଇଛି । ଲଞ୍ଚ ପରେ କଳା ବାଦଲ ଆକାଶରୁ ଉଭାନ ହୋଇଯାଇଛି । ଟାଣ ଖରା ମାରିବା ଆରମ୍ଭ ହୋଇଛି । ଏପରି ସ୍ଥିତିରେ ସ୍ପିନ କେତେ ଦୂର କାମ କରୁଛି, ତା’ ଉପରେ ଏବେ ସମସ୍ତଙ୍କ ନଜର । କାରଣ ଭାରତ ୩ ସ୍ପିନରଙ୍କ ସହ ନ୍ୟୁଜିଲ୍ୟାଣ୍ଡକୁ ଆଟାକ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com