ଓଡ଼ିଶା

ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା: ୩ ବନ୍ଦରକୁ ୪ନଂ ବିପଦ ସଙ୍କେତ

ଭୁବନେଶ୍ୱର: ବାତ୍ୟା ‘ଦାନା’କୁ ନେଇ ଆସିଲା ବଡ଼ ସୂଚନା । ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇ ମାଡି ଆସୁଛି । ଓଡ଼ିଶା ଉପକୂଳ ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ରହିଛି । ୨୪ତାରିଖ ରାତି ଓ ୨୫ତାରିଖ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା । ସ୍ଥଳଭାଗ ଛୁଇଁବା ବେଳେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିବ । ବାତ୍ୟା ପ୍ରଭାବରେ ଆଜି ସନ୍ଧ୍ୟାରୁ ଉପକୂଳରେ ପ୍ରବଳ ବର୍ଷା ଆରମ୍ଭ ହେବ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ପୁରୀ ଓ ପାଶ୍ୱବର୍ତ୍ତୀ କିଛି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ୨୪ତାରିଖରେ ଅତି ପ୍ରବଳ ବର୍ଷା ନେଇ ୪ଜିଲା ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଜିଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୫ ତାରିଖରେ ମଧ୍ୟ ବର୍ଷା ପ୍ରଭାବ ରହିବ । ଆସନ୍ତା ୨୬ ତାରିଖରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ବାତ୍ୟା ‘ଦାନା’ ପାଇଁ ତିନୋଟି ବିମାନ ବନ୍ଦର ପାରାଦ୍ୱୀପ, ଧାମରା ଓ ପୁରୀକୁ ୪ନଂ ବିପଦ ସଙ୍କେତ ଜାରି ହୋଇଛି । ବର୍ତ୍ତମାନ ପାରାଦୀପଠାରୁ ୬୭୦ କିଲୋମିଟର ଦକ୍ଷିଣପୂର୍ବ ଓ ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୨୦ କିଲୋମିଟ ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ କେନ୍ଦ୍ରୀଭୂତ ରହିଛି ଡିପ୍ ଡିପ୍ରେସନ୍ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ବାତ୍ୟାର ରୂପ ନେବ ।

ଏହାପରେ ଅଧିକ ଘନୀଭୂତ ହେବ ସାମୁଦ୍ରିକ ଝଡ । ଆସନ୍ତାକାଲି ଏହା ଉତ୍ତର ପଶ୍ଚିମ ବଙ୍ଗୋପସାରରେ ଭୀଷଣ ବାତ୍ୟା ରୂପ ନେବ । ସମୁଦ୍ର ଅଶାନ୍ତ ରହୁଥିବାରୁ ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ବି ଜାରି ହୋଇଛି। ଆଜି ରାତି ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ପ୍ରଭାବିତ ହେବାକୁଥିବା ଜିଲ୍ଲା ଗୁଡିକରେ ସରକାରୀ ଆଶ୍ରୟସ୍ଥଳୀ ବାଦ୍ ଆଉ ୫ଶହ ଅସ୍ଥାୟୀ ଆଶ୍ରୟ ଶିବିର ଏବଂ ୨୫୦ଟି ରିଲିଫ୍ ସେଣ୍ଟରର ବ୍ୟବସ୍ଥା ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com