ଓଡ଼ିଶା

ବାତ୍ୟା ‘ଦାନା’: ୧୦ ଲକ୍ଷ ଲୋକ ହେବେ ସ୍ଥାନାନ୍ତର, ଆକ୍ସନ ମୋଡରେ ସରକାର

ଭୁବନେଶ୍ୱର: ଆତଙ୍କ ସୃଷ୍ଟି କରିଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଧୀରେ ଧୀରେ ସ୍ଥଳ ଭାଗକୁ ମାଡ଼ି ଆସୁଛି । ଆଜି ସନ୍ଧ୍ୟା ସୁଦ୍ଧା ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ । ସୁରକ୍ଷା ଦାୟିତ୍ୱରେ ୨୦ ଏନଡିଆରଏଫ, ୫୧ ଓଡ୍ରାଫି ଟିମ ସାମିଲ । ବାତିଲ ହେଲା ୧୯୭ ଟ୍ରେନ୍ । ସେପଟେ ବଜାରରେ ହଲଚଲ କଲେଣି କଳାବଜାରୀ । ବାତ୍ୟାର ରୂପ ନେଲା ଗଭୀର ଅବପାତ । କ୍ରମେ ଏହା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ଏହାକୁ ନେଇ ଉପକୂଳ ଅଞ୍ଚଳ ଓ ତଳିଆ ଅଞ୍ଚଳ ଲୋକଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି ।

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଶ୍ରୟସ୍ଥଳୀ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି, ପ୍ରାଥମିକ ଭାବରେ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବା ନେଇ ଲକ୍ଷ୍ୟ ରହିଛି। ରିଲିଫ୍‌ ସେଣ୍ଟରରେ ରନ୍ଧା ଖାଦ୍ୟ ବ୍ୟବସ୍ଥା ହେବ। ପ୍ରଶାସନ ମଧ୍ୟ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବ। ୬୨୪୪ ରିଲିଫ୍‌ ସେଣ୍ଟର ପ୍ରସ୍ତୁତ କରାଯାଇଛି।

ଅନ୍ୟପଟେ ବାତ୍ୟାରେ ଯେପରି କୌଣସି ଅଘଟଣ ନହୁଏ ସେଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ୱରେ ଅଛନ୍ତି ୨୦ଟି ଏନଡିଆରଏଫ୍ ଓ ୫୧ଟି ଓଡ୍ରାଫ୍ ଟିମ୍ ଓ ୭ ଟି ଡିଜାଷ୍ଟାର ରେପିଡ ଆକ୍ସନଫୋର୍ସ । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ବି ବ୍ୟାପକ ପ୍ରସ୍ତତି କରିଛନ୍ତି । ୬ ଆଇଏସଙ୍କୁ ୬ ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ଖଣି ନିର୍ଦ୍ଦେଶକ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ବର, ଆଇଏଏସ ତ୍ରିଲୋଚନ ମାଝିଙ୍କୁ ଭଦ୍ରକ, ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଲଓ୍ୱନ୍ତ ସିଂଙ୍କୁ ପୁରୀ ଦାୟିତ୍ବ ଦିଆଯାଇଛି । ଆଇଏଏସ ବିନୀତ ଭରଦ୍ବାଜ ମୟୁରଭଞ୍ଜ ଜିଲ୍ଲା ଦେଖିବେ । ଆଇଏଏସ ଯାମିନୀ ଷଡଙ୍ଗୀଙ୍କୁ ଜଗତସିଂହପୁର ଓ ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ବ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com