ଓଡ଼ିଶା

ଓଡ଼ିଶାରେ କରୋନା ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟିକା ଦିଆଗଲାଣି : ରାଜ୍ୟପାଳ

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ରଖିଛନ୍ତି। ସିଡିଏସ୍ ବିପିନ ରାୱତଙ୍କ ସହ ଦିବଙ୍ଗତ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ। ଏଥିସହ ସେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥଲେ।
ନିଜର ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଆମ ପାଇଁ ମୂଲ୍ୟବାନ୍। ୧୫ରୁ ଅଧିକ ବୃହତ ଯୋଜନା କାର୍ଯ୍ୟକାରୀ କରି ସ୍ୱାସ୍ଥ୍ୟସେବାରେ ଓଡିଶା ଅଦ୍ଭୁତପୂର୍ବ ଅଗ୍ରଗତି କରିଛି। ରାଜ୍ୟର ପ୍ରତି ଲୋକକୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଦିଆଯାଉଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ମାଗଣାରେ ସେବା ଦିଆଯାଉଛି। ଏହା ଜରିଆରେ ରାଜ୍ୟରେ ୯୬ଲକ୍ଷ ପରିବାର ଉପକୃତ ହେଉଛନ୍ତି ।
୩୦ ଜିଲ୍ଲାକୁ ରେଳ ସଂଯୋଗ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ, ସଡ଼କ ନିର୍ମାଣ ଓ ପରିବହନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। କରୋନା ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟିକା ଦିଆଗଲାଣି, କରୋନା ଟେଷ୍ଟିଂ ପାଇଁ ବ୍ଲକ ସ୍ତରରେ ବି ବ୍ୟବସ୍ଥା କରାଯାଇଛି। କୋଭିଡ ସମୟରେ ୨୧ କୋଟି ଶ୍ରମଦିବସ ଜରିଆରେ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ଚାଷୀଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ଯାଏ ଋଣର ବ୍ୟବସ୍ଥା କରାଯାଇଛି।
୨୦୨୦-୨୧ ବର୍ଷରେ ପ୍ରାୟ ୫୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ କାଳିଆ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇଥିବାବେଳେ ୨୦୨୧-୨୨ ବର୍ଷରେ ଡ଼ିସେମ୍ବର ୨୦୨୧ ସୁଦ୍ଧା ୫୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ ଏହି ସହାୟତା ଯୋଗାଇ ଦିଆଯାଇଛି।
୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ୫୫୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩,୬୫୩ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି ।
୨୦୨୧-୨୨ ବର୍ଷ ଅଧିକ ଖଣି ରାଜସ୍ୱ ସଂଗ୍ରହର ବର୍ଷ ଅଟେ। ଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୨୦-୨୧ ପର୍ଯ୍ୟନ୍ତ ମୋଟ ଖଣି ରାଜସ୍ୱ ସଂଗ୍ରହ ୪୬,୩୪୭ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷର ସଂଗ୍ରହ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ୩୧,୦୪୯ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଏକ ସର୍ବକାଳୀନ ରେକର୍ଡ ଅଟେ। ଚଳିତ ଆର୍ଥିକ ବର୍ଷ ପାଇଁ ଲଘୁ ଖଣିଜ ପଦାର୍ଥରୁ ଧାର୍ଯ୍ୟ ବାର୍ଷିକ ୧,୩୦୦ କୋଟି ରାଜସ୍ୱ ଆଦାୟ ଲକ୍ଷ୍ୟରୁ ୪୪୮.୩୬ କୋଟି ଟଙ୍କା ଆଦାୟ କରାଯାଇଛି। ସେହିଭଳି ଏହି ଅବଧି ମଧ୍ୟରେ ୧,୭୬୫ କୋଟି ଟଙ୍କାର ମୋଟର ଯାନ ଟିକସ ଆଦାୟ ଲକ୍ଷ୍ୟ ଥିବାବେଳେ ୧,୧୧୭ କୋଟି ଟଙ୍କା ଆଦାୟ କରାଯାଇଛି।
‘ଆଦର୍ଶ ବରପୁତ୍ର ଗ୍ରାମ’ ପ୍ରତିଷ୍ଠା ପାଇଁ ୧୧୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଗୋଟିଏ ତାଲିକା ସଂକଳିତ ହୋଇଛି। ରାଜ୍ୟର ସୁଯୋଗ୍ୟ ସନ୍ତାନମାନଙ୍କର ଗ୍ରାମଗୁଡ଼ିକୁ ଆଦର୍ଶ ଗ୍ରାମ ଭାବରେ ଘୋଷଣା ନିମନ୍ତେ ଗଠିତ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଦ୍ୱାରା ପ୍ରସ୍ତୁତ ତାଲିକାରୁ ଏହା ଚୟନ କରାଯିବ। ବିଶିଷ୍ଟ ଲେଖକ ମନୋଜ ଦାସ ଓ ଐତିହାସିକ ମନ୍ମଥ ନାଥ ଦାସଙ୍କ ବାଲେଶ୍ୱର ଜିଲ୍ଲାର ଶଂଖାରୀ ଗ୍ରାମସ୍ଥିତ ଗୃହକୁ ‘ମନ୍ମଥ–ମନୋଜ ସ୍ମାରକ’ ପୀଠରେ ପରିଣତ କରିବାକୁ ସରକାର ଘୋଷଣା କରିଛନ୍ତି ।
ମୋ ସରକାର, ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୁବିଧା ଓ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୭୬ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୩୬୫ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରିବେ।
ବିଗତ ପାଞ୍ଚବର୍ଷ ଭିତରେ ବାମପନ୍ଥୀ ଉଗ୍ରବାଦକୁ ଦୃଢ଼ତାର ସହ ଦମନ କରାଯାଇଛି। ମୋ ସରକାର ଓ ସୁରକ୍ଷା ବାହିନୀଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ବର୍ତ୍ତମାନ ୨୧ରୁ ୧୦ରେ ପହଞ୍ଚିଛି। ପୁଲିସ ପଦକ୍ଷେପ ଯୋଗୁଁ ପାଖାପାଖୁ ୫୮ ଜଣ ମାଓବାଦୀ ପ୍ରଭାବହୀନ ହୋଇଛନ୍ତି, ୧୯୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେହି ସମୟରେ ୧୦୮ ଜଣ ଆତ୍ମସମର୍ପଣ କରିଛନ୍ତି । ଏକଦା ମାଓବାଦୀଙ୍କ ଗଡ଼ ଥିବା ମାଲକାନଗିରିର ‘ସ୍ଵାଭିମାନ ଅଞ୍ଚଳ’ର ସଂପୂର୍ଣ୍ଣ ପରିବର୍ତ୍ତିତ ବାତାବରଣ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ପ୍ରଶମନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁପରିଣାମ ଅଟେ।
‘ଶୁନ୍ ସହନଶୀଳତା’ ନୀତି ଯୋଗୁଁ ୨୦୨୧ ବର୍ଷରେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ୨୬୭ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ସ୍ଵରୂପ ଅଦ୍ୟାବଧି ୧୫୧ ଜଣ ଅନୈତିକ, ଅପାରଗ ଓ ଅସାଧୁ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com