ବାତ୍ୟା ‘ଦାନା’: ଆଜି ମଧ୍ୟ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ଵର: ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦ୍ଵିତୀୟ ଦିନରେ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏପରିକି ଲ୍ୟାଣ୍ଡଫଲ କରିଥିବା ସ୍ଥାନ ହାବେଲୀଖଟିରେ ମଧ୍ୟ ସ୍ଥିତି ପରଖିବେ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ଵ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି ।
ସୂଚନା ମୁତାବକ, ରବିବାର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ । ଆକାଶ ମାର୍ଗରୁ ପରିଦର୍ଶନ ପରେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ରଦାନ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।
ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ । ଏଥିସହିତ ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ରିପୋର୍ଟ ଆସନ୍ତା ୨ ତାରିଖ ସୁଦ୍ଧା ଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ତାହା ଅନୁଯାୟୀ କ୍ଷତିପୂରଣ କେତେ ହୋଇଛି, ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।