ନୂଆଦିଲ୍ଲୀ: ଆଉ ମାତ୍ର 15 ଦିନ ରହିଲା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରଚାର । ପୂର୍ବରୁ ଝାଡ଼ଖଣ୍ଡ ବିଜେପି ଷ୍ଟାର ପ୍ରଚାର ଲିଷ୍ଟରେ ଓଡିଶା ବିଜେପି ନେତାଙ୍କ ନାମ ଘୋଷଣା ହୋଇଥିଲା l ଏନେଇ ଓଡ଼ିଶା ବିଜେପି ନେତାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ନିର୍ବାଚନ ପରିଚାଳନା ପାଇଁ ବିଜେପି କର୍ମକର୍ତ୍ତାମାନେ ଓଡ଼ିଶାରୁ ଯିବେ । ନିର୍ବାଚନରେ ପ୍ରଚାର କରିବା ସହ ଝାଡଖଣ୍ଡ ବିଜେପିକୁ ସହଯୋଗ କରିବେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ସୂଚନା ଦେଇଛନ୍ତି ।
ଝାଡ଼ଖଣ୍ଡରେ I.N.D.I.A ଏବଂ NDA ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ । ବର୍ତ୍ତମାନ ଝାଡ଼ଖଣ୍ଡରେ ଜେଏମଏମ ଶାସକ ରହିଛି l ତେଣୁ ପୁଣି ଥରେ ଶାସନ ନିଜ ହାତରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପତ୍ନୀ କଳ୍ପନା ସୋରେନ ବିଧାନସଭା ନିର୍ବାଚନ ପାଇଁ ଜବରଦସ୍ତ ପ୍ରସ୍ତୁତି ଚଳାଇଛନ୍ତି l ନଭେମ୍ବର ୧୩ ଏବଂ ୨୦ରେ ୮୧ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ତେବେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଓଡିଶା ନେତାଙ୍କ କେତେ ପ୍ରଭାବ ପଢିବ ତାହା ନିର୍ବାଚନ ଫଳାଫଳ ବାହାରିବା ଦିନ ଜଣାପଡ଼ିବ l