ଓଡ଼ିଶା

ରତ୍ନଭଣ୍ଡାର ସୁଡଙ୍ଗକୁ ନେଇ ବଡ଼ ସୂଚନା ଦେଲେ ଆଇନମନ୍ତ୍ରୀ, କଣ ଜାଣନ୍ତୁ

ପୁରୀ: ରତ୍ନଭଣ୍ଡାରକୁ ନେଇ ପୁଣି ଏକ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରତ୍ନ ଭଣ୍ଡାରରେ ଗୁପ୍ତ ସୁଡଙ୍ଗ ବା କିଛି ଗୁପ୍ତ କୋଠରୀ ରହିବା ପ୍ରସଙ୍ଗକୁ ନେଇ ଆସିଛି ବଡ଼ ସୂଚନା । ଅପରପକ୍ଷେ ରତ୍ନଭଣ୍ଡାରରେ କୌଣସି ସୁଡଙ୍ଗ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ । ପ୍ରାଥମିକ ଆଲୋଚନାରୁ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନଥିବା ଜଣାପଡ଼ିଛି । ଏନେଇ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହାର ପରେ ସୁଡଙ୍ଗ ଚର୍ଚ୍ଚା ଅଧିକ ସ୍ପଷ୍ଟ ହେବ । ଏଥିସହିତ ମରାମତି ନେଇ ମନ୍ତ୍ରୀ କହିଛନ୍ତି, କାର୍ତ୍ତିକ ପାଇଁ ଶ୍ରୀମନ୍ଦିରରେ ଭିଡ଼ ରହିଛି l

ଏହାପରେ ମରାମତି କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରାୟ ଦେଢମାସ ଭିତରେ ମରାମତି କାର୍ଯ୍ୟ ସରିବ । ଏହାପରେ ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ସୂଚନା ମୁତାବକ, ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠିବା ଦିନଠୁ ଗୋଟିଏ ପ୍ରସଙ୍ଗ ଯାହା ବେଶ୍ ଚର୍ଚ୍ଚାରେ ଥିଲା, ତାହା ହେଲା ରତ୍ନଭଣ୍ଡାର ଭିତରେ ଥିବା ଗୁପ୍ତ ସୁଡଙ୍ଗ । ଯାହାକୁ ନେଇ ଅନେକ ଲୋକ ଅନେକ ମତ ପ୍ରକାଶ କରିଛନ୍ତି । ସାରା ଓଡିଶା ଲୋକଙ୍କ ମଧ୍ୟରେ ବି ଏହାର ଉତ୍କଣ୍ଠା ଏବେ ମଧ୍ୟ ଭରି ରହିଛି । ଆଉ ବିଶ୍ବାସ ବି ଅଛି ଯେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କିଛି ରହସ୍ୟମୟୀ ସୁଡଙ୍ଗ ମଧ୍ୟ ରହିଛି ।

ଲୋକଙ୍କ ବିଶ୍ବାସକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ସ୍ଥାନାନ୍ତରଣ ଓ ଯାଞ୍ଚ ପରେ ବି ପୁଣି ଥରେ ରତ୍ନଭଣ୍ଡାର ଖୋଲାଯାଇ ସୁଡଙ୍ଗ ଅଛି କି ନାହିଁ ବୋଲି ଯାଞ୍ଚ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥ । ଯାହା ପରେ ଏଏସଆଇ ଦ୍ବାରା ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପ୍ରକ୍ରିୟା ସରିଥିବା ବେଳେ ଏବେ ସୁଡଙ୍ଗ ନଥିବା କଥା କହିଛନ୍ତି ମନ୍ତ୍ରୀ । ଏଥିସହିତ ମନ୍ତ୍ରୀ କହିଛନ୍ତି ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ । ମରାମତି ପରେ ଏଏସଆଇର ଉଚ୍ଚସ୍ତରୀୟ କମିଟିଙ୍କ ଦ୍ବାରା ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରାଯିବ । ୧୯୭୮ ମସିହା ଡାଟାବେସ୍‌ ଅନୁଯାୟୀ ଅଳଙ୍କାର ମେଳକ କରାଯିବ । ସୂଚନା ଅନୁସାରେ, ବାହାର ଓ ଭିତର ରତ୍ନ ଭଣ୍ଡାର ଖୋଲାଯିବା ପରେ ମାଟି ତଳେ କିମ୍ବା କାନ୍ଥ ଭିତରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ଥିବା ଚର୍ଚ୍ଚା ହେଉଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com