ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଶପଥ ନେଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା । ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ତାଙ୍କୁ ୫୧ତମ ପ୍ରଧାନ ବିଚାରପତି ପଦ ଭାବେ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ସୁପାରିସକ୍ରମେ ଜଷ୍ଟିସ ଖାନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଅକ୍ଟୋବର ୨୪ରେ ନିଯୁକ୍ତି ଦିଆଯାଇଥିଲା । ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୫ ମେ ୧୩ରେ ଶେଷ ହେବ।
ଜଷ୍ଟିସ ଖାନ୍ନା ୨୦୧୯ ଜାନୁଆରୀରୁ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ସୁପ୍ରିମକୋର୍ଟର ବିଭିନ୍ନ ପୀଠର ସଦସ୍ୟ ଭାବେ ଗୁରୁତ୍ବପୂର୍ଣ୍ଣ ନ୍ୟାୟିକ ନିଷ୍ପତ୍ତି ନେଇଛନ୍ତି । ଏହା ମଧ୍ୟରେ ରହିଛି ଇଭିଏମ୍ର ବୈଧତା, ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ରଦ୍ଦ କରିବା, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଜଷ୍ଟିସ ଖାନ୍ନା ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଦେବରାଜ ଖାନ୍ନାଙ୍କ ପୁଅ ଓ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଚଆର ଖାନ୍ନାଙ୍କ ପୁତୁରା । ଅନ୍ୟପଟେ ସୂଚନ ଅନୁଯାୟୀ, ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ଗତ ୨୦୧୯ ଜାନୁଆରୀ ୧୮ରେ ସେ ଯୋଗଦେଇଥିଲେ ।
ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଜନ୍ମ ୧୯୬୦ ମେ ୧୪ରେ। ସେ ନୂଆଦିଲ୍ଲୀର ମଡର୍ଣ୍ଣ ସ୍କୁଲରୁ ଶିକ୍ଷାଲାଭ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ ଆଇନ ଶିକ୍ଷା ଲାଭ କିରବା ପରେ ସେ ୧୯୮୩ ମସିହାରେ ଦିଲ୍ଲୀର ତିସ୍ ହାଜାରି କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ସେ ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ହୋଇଥିଲେ । ଜାନୁଆରୀ ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ତାଙ୍କୁ ଆପରାଧିକ, ସିଭିଲ, ଟିକସ ଏବଂ ସାମ୍ବିଧାନିକ ଆଇନଗୁଡ଼ିକରେ ଜଣେ ମହାନ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ । ତାଙ୍କ ବାପା ଜଷ୍ଟିସ ଦେବରାଜ ଖନ୍ନା ଥିଲେ ଦିଲ୍ଲୀ ହାଇକୋର୍ଟର ବିଚାରପତି ।
୧୯୮୩ରେ ସେ ଦିଲ୍ଲୀ ବାର କାଉନସିଲରେ ଆଡଭୋକେଟ ଭାବେ ଯୋଗ ଦେଇଥିଲେ। ସେ ନିଜ କାର୍ଯ୍ୟକାଳରେ ସେ ଦିଲ୍ଲୀ ମଦନୀତି ମାମଲାରେ ଆପ୍ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ । ଗତ ମେ ମାସରେ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଜଷ୍ଟିସ ଖନ୍ନା । ଜୁଲାଇରେ ବି ତାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ । ସେହିପରି ଭୋଟର ଭେରିଫାଏଡ ପେପର ଅଡିଟ ଟ୍ରେଲସ ବା ଭିଭିପାଟ ପ୍ରସଙ୍ଗରେ ତାଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ । ୧୦୦ ପ୍ରତିଶତ ଭିଭିପାଟ ଭେରିଫିକେସନକୁ ସେହି ଖଣ୍ଡପୀଠ ରଦ୍ଦ କରିଥିଲା । ଏହା ସହ ଧାରା ୩୭୦ ଓ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ବି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଥିଲେ ଜଷ୍ଟିସ ଖାନ୍ନା ନେତୃତ୍ବାଧୀନ ଖଣ୍ଡପୀଠ ।