ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହ ଆରମ୍ଭରୁ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ତେବେ ପ୍ରଥମ ଦିନରେ ହିଁ ଶାସକ ଦଳକୁ ଘେରିବା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ ବିରୋଧୀ ଦଳର ସଦସ୍ୟମାନେ ।
ଆମ୍ବଟାକୁଆ ମୃତ୍ୟୁ, ଧାନକିଣା ଅବ୍ୟବସ୍ଥା, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା, ଆଦାନୀ ଏବଂ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ସରକାରକୁ ହରଡଘଣାରେ ପକାଇବାକୁ ଯୋଜନା କରିଛନ୍ତି ବିଜେଡି ଓ କଂଗ୍ରେସ । ସରକାରଙ୍କ ଉପଲବ୍ଧି ରଖି ବିଗତ ସରକାରଙ୍କ ୨୪ ବର୍ଷର କଳା ଚିଠା ଖୋଲିବାକୁ ସ୍ଥିର କରିଛି ବିଜେପି ।
ଗୋଟେ ପଟେ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ କିପରି ଶାନ୍ତି ଶୃଙ୍ଖଳାର ସହ ସୁରୁଖୁରୁରେ ଗୃହକାର୍ଯ୍ୟ ଆଗକୁ ବଢିବ ସେନେଇ ଆଲୋଚନା ହୋଇଥିବା ବେଳେ ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶଙ୍ଖ ଭବନରେ ବିଜେଡି ସଦସ୍ୟଙ୍କୁ ନେଇ କରିଥିଲେ ବୈଠକ । ସରକାରଙ୍କୁ କେଉଁ ସବୁ ପ୍ରସଙ୍ଗକୁ କେନ୍ଦ୍ର କରି ହରଡ଼ଘଣାରେ ପକାଇବେ ସେନେଇ ବିରୋଧୀ ପ୍ରସ୍ତୁତ କରିଥିଲେ ରଣନୀତି ।