Breaking NewsFeaturedଐତିହ୍ୟ ଓ ସଂସ୍କୃତିଜାତୀୟବାଣିଜ୍ୟରାଜନୀତି

ଦିଲ୍ଲୀର ନବକଳେବର: ଖାଲି ସଂସଦ ନୁହେଁ, ଗଢ଼ା ହେଉଛି ଅନେକ ଅନୁଷ୍ଠାନ

ନୂଆ ସଂସଦକୁ ନେଇ ତେଜିଲାଣି ରାଜନୀତିକ ନିଆଁ ଝୁଲ

ମୋବାଇଲ୍‍ ନ୍ୟୁଜ୍‍ ବ୍ୟୁରୋ: ବଦଳିଯିବ ଦିଲ୍ଲୀର ଚେହେରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ କୁହାଯାଉଥିବା ଭବ୍ୟ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍‍ଟ ଆରମ୍ଭରୁ ହିଁ ପ୍ରବଳ ବିବାଦ ଦେଖାଦେଲାଣି । ସଂସଦ ଭବନ ଉଦ୍‍ଘାଟନୀକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ । ଘଟଣାକୁ ରାଜନୀତିକ ରଙ୍ଗ ବି ଦିଆସରିଲାଣି । କିଏ କହୁଛି ଆମେ ସରକାର ଗଢ଼ିଲେ ନୂଆ ସଂସଦକୁ ଅନ୍ୟ କାର୍ଯ୍ୟାଳୟ କରିଦେବୁ ତ କିଏ ପୁଣି କହୁଛି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ଆମେ ପାର୍ଲାମେଣ୍ଟରେ ପାଦ ପକାଇବୁ । ବଡ଼ କଥା ହେଲା ଏ ସଂସଦ ଭବନ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଗୋଟିଏ ଅଂଶ ମାତ୍ର । ୧୯୧୧ ମସିହାରେ କୋଲକାତାରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତର ବେଳେ ସେଣ୍ଟ୍ରାଲ୍‍ ଭିଷ୍ଟା ଗଢ଼ା ଯାଇଥିଲା । ପୁରୁଣାକୁ ନୂଆ ରୂପ ଦେବା ଏବଂ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ବିଭାଗ ସହିତ ଅନେକ ଅନୁଷ୍ଠାନକୁ ଗୋଟିଏ ଜାଗାରେ ସ୍ଥାନିତ କରିବା, ଏ ପ୍ରକଳ୍ପର ମୂଳ ଲକ୍ଷ୍ୟ । ଏହି ପ୍ରକଳ୍ପ ଅନୁସାରେ କର୍ତ୍ତବ୍ୟ ପଥ ବା ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‍ ପର୍ଯ୍ୟନ୍ତ ଅଞ୍ଚଳର ନବୀକରଣ ବା ପୁନର୍ବିନ୍ୟାସ କରାଯିବ । ୩.୨ କିମି ଲମ୍ବା ଓ ତିନି ଥାକିଆ ବିଶିଷ୍ଟ ଏହି ରାସ୍ତା ବା ପଥ ଏକ ନୂଆ ରୂପରେ ଦେଶ-ବିଦେଶର ଦୃଷ୍ଟି ଆକର୍ଷଣ କରିବ ।

ତେବେ ଏଠାରେ ଆମେ ଜଣାଇ ଦେବାକୁ ଚାହୁଁଛୁ ଯେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍‍ଟ ୪ ଲକ୍ଷ ୫୮ ହଜାର ୮୨୦ ବର୍ଗ ମିଟର ଭିତରେ ଥିବାବେଳେ ୩.୯ ଲକ୍ଷ ବର୍ଗ ମିଟର କେବଳ ସବୁଜ ବଳୟ ମଧ୍ୟରେ ପରିବ୍ୟାପ୍ତ । ନବୀକରଣ ପାଇଁ ଏହି ଅଞ୍ଚଳରେ ଥିବା ସମସ୍ତ ପୁରୁଣା କାର୍ଯ୍ୟାଳୟ ଭଙ୍ଗାଯିବ । ପୂର୍ବରୁ ଏଠାରେ ଥିବା ରାଷ୍ଟ୍ରପତି ଭବନ, ସଂସଦ ଭବନ, ବିଦେଶ ମନ୍ତ୍ରଣାଳୟ ଓ ଅର୍ଥମନ୍ତ୍ରଣାଳୟ ରହିଥିବା ନର୍ଥ ବ୍ଲକ୍‍ ଓ ସାଉଥ୍‍ ବ୍ଲକ୍‍, ଇଣ୍ଡିଆ ଗେଟ୍‍, ନେସନାଲ୍‍ ଆର୍କାଇଭ୍‍ ଅଫ୍‍ ଇଣ୍ଡିଆ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟାଳୟ ରହିଛି । ଏସବୁ କାର୍ଯ୍ୟାଳୟ ଗୁଡ଼ିକ ୧୦୦ ବର୍ଷରୁ ଅଧିକ ପୁରୁଣା । ଯେଉଁଥିପାଇଁ ମୋଦି ସରକାର ୨୦୧୯ରେ ଏସବୁର ନବକଳେବର କରିବା ପାଇଁ ଯୋଜନା କରିଥିଲେ । ପୂର୍ବରୁ ହୋଇଥିବା ଏହି ସେଣ୍ଟ୍ରାଲ୍‍ ଭିଷ୍ଟା ଅଞ୍ଚଳକୁ ଏଡୱିନ୍‍ ଲୁଟିୟନ୍ସ ଓ ହବର୍ଟ ବେକର୍‍ ଡିଜାଇନ୍‍ କରିଥିବାବେଳେ ବର୍ତ୍ତମାନ ପ୍ରସ୍ତୁତ ହେଉଥିବା ନବୀକରଣ ପ୍ରକଳ୍ପକୁ ଡିଜାଇନ୍‍ କରୁଛନ୍ତି ବିମଲ ପଟେଲ । ସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ କରିବାର ଦାୟିତ୍ଵ ନେଇଛି ଟାଟା କମ୍ପାନୀ।

  • କୋଡ଼ିଏ ହଜାର କୋଟି ଟଙ୍କାର ବଜେଟ୍‍ ଥିବା ଏହି ପ୍ରକଳ୍ପ ୨୦୨୬ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ପାଇବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ ମୋଦି ସରକାରଙ୍କ ଯୋଜନା ଅନୁସାରେ ଏହି ନବୀକରଣ ପ୍ରକଳ୍ପ ଲାଗି ଅନେକ ପ୍ରମୁଖ ସ୍ଥାନକୁ ଭଙ୍ଗାଯାଇ ନୂଆ ରୂପ ଦିଆଯିବ ଏବଂ ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରାଯିବ। ସେଗୁଡ଼ିକ ହେଉଛି:
  • ଇଣ୍ଡିଆ ଗାନ୍ଧି ନେସନାଲ ସେଣ୍ଟର୍‍ ଫର୍‍ ଆର୍ଟ୍‍ସ ବା ଆଇଏନ୍‍ଜିସିଏ । ରାଜଧାନୀର ଅନ୍ୟତମ ପ୍ରମୁଖ ଏହି ଐତିହାସିକ କୋଠାରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ତଥା ସ୍ମାରକୀ, ପାଣ୍ଡୁଲିପି ଓ ବୃହତ ପାଠାଗାର ରହିଛି । ଏହା ଏବେ ହାଇଦ୍ରାବାଦ ହାଉସ୍‍ର ବିପରୀତ ସ୍ଥଳକୁ ସ୍ଥାନାନ୍ତର ହେବ ।
  • ଉପରାଷ୍ଟ୍ରପତିଙ୍କ ବାସଭବନ । ବର୍ତ୍ତମାନ ନେସନାଲ୍‍ ମ୍ୟୁଜିଅମ୍‍ ନିକଟରେ ଥିବା ଏହି ଭବନ ନର୍ଥ ବ୍ଲକ୍‍ର ନର୍ଥକୁ ଶିଫ୍ଟ ହେବାର ରହିଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବାସଗୃହ ଆଦି ଆପାତତଃ ସାଉଥ୍‍ ବ୍ଲକ୍‍ ନିକଟକୁ ସ୍ଥାନାନ୍ତର ହେବ ଏବଂ ସମସ୍ତ ପୁରାତନ ଭବନ ଭାଙ୍ଗି ଦିଆଯିବ ।
  • ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରହିଥିବା ଜବାହରଲାଲ ନେହରୁ ଭବନ ସେଭେନ୍‍-ଷ୍ଟୋରେ ବିଲ୍‍ଡିଂ ନିକଟକୁ ଯିବ । ସେହିପରି କୃଷି ଭବନ ଓ ଶାସ୍ତ୍ରୀ ଭବନ କୋଠା ଭଙ୍ଗାଯିବ ଏବଂ ଏଦୁଇଟି ନୂଆ ସେକ୍ରେଟାରିଏଟ୍‍ ନିକଟକୁ ଯିବ । ବିଜ୍ଞାନ ଭବନ ସ୍ଥାନରେ ଏକ ନୂଆ କନଫେରେନ୍ସ ହଲ୍‍ ଗଢ଼ାଯିବ।
  • ଅନୁରୂପ ଭାବେ ଶାସ୍ତ୍ରୀ ଭବନ, ନେସନାଲ ମ୍ୟୁଜିଅମ୍‍, ନିର୍ମାଣ ଭବନ, ଉଦ୍ୟୋଗ ଭବନ, ରକ୍ଷା ଭବନ, ଆନେକ୍ସ ବିଲଡିଂ ଅଫ୍‍ ନେସନାଲ ଆର୍କାଇଭ୍‍ ଏବଂ ଲୋକ କଲ୍ୟାଣ ମାର୍ଗ ବା ସେଭେନ୍‍ ରେସ୍‍ କୋର୍ସ ରୋଡ୍‍ ଆଦିର ନବକଳେବର ହେବ ।

ତେବେ ଏସବୁ ନବୀକରଣ ନୂଆ ସେଣ୍ଟ୍ରାଲ୍‍ ଭିଷ୍ଟାକୁ କେତେଦୂର ସୌନ୍ଦର୍ଯ୍ୟରେ ଭରପୂର କରିବ ତାହା ତ ସମୟ କହିବ । କିନ୍ତୁ ସେଣ୍ଟ୍ରାଲ୍‍ ଭିଷ୍ଟାର ଏକ ମାତ୍ର ଅଂଶ ନୂଆ ସଂସଦ ଭବନକୁ ନେଇ ବିରୋଧୀ ଗର୍ଜନ କରୁଥିବାବେଳେ ଏତେ ସବୁ ପରିବର୍ତ୍ତନ ଓ ପୁରାତନ କୋଠାର ଧ୍ୱଂସକୁ କେଉଁଭଳି ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com