ଭୁବନେଶ୍ୱର: କାମରେ ଅବହେଳା କଲେ ଦୋଷ ଦେବାକୁ ସମସ୍ତେ ଅଛନ୍ତି କିନ୍ତୁ ଖାଲି ପଡ଼ିଥିବା ବଦବୀ ପାଇଁ କାହାର ନିଘା ନାହିଁ । ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଖାଲି ପଡିଛି ହଜାର ହଜାର ପଦବୀ । ସ୍ୱାସ୍ଥ୍ୟସେବା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତରଙ୍କ ଅଭାବ ଥିବାବେଳେ ରାଜ୍ୟର ଆଇନଶୃଙ୍ଖଳା ନିର୍ଭର କରୁଥିବା ପୋଲିସ ବିଭାଗରେ ବି ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ଅଭାବ । ଏନେଇ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପୋଲିସ ଆଧୁନିକୀକରଣ, ମାଓ ଓ ନକ୍ସଲ ଦମନ, ଅପରାଧ ନିରାକରଣ, ପାଇଁ କେନ୍ଦ୍ର ସରକାର ୨ ବର୍ଷରେ ରାଜ୍ୟ ପୋଲିସ ବିଭାଗକୁ ବିଭିନ୍ନ ଯୋଜନାରେ ମୋଟ ୧୬୬.୪୯୩ କୋଟି ଟଙ୍କା ମଂଜୁର କରିଛନ୍ତି । ଏହି ଅର୍ଥରେ ମାଓ ପ୍ରଭାବିତ ଇଲାକାରେ ଭିତ୍ତିଭୂମି ନିର୍ମାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ନିରାପତ୍ତା, ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପୁନଃଥଇଥାନ୍, ବାବଦରେ ଖର୍ଚ୍ଚ କରାଯାଉଥିବାବେଳେ ପୋଲିସ ବିଭାଗର ଅଧୁନୀକିକରଣ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି । ଏହାସହ ଟ୍ରାଫିକ୍ ନିୟନ୍ତ୍ରଣ ସମାଗ୍ରୀ , ଯୋଗାଯୋଗ ସାମଗ୍ରୀ, ଗୁଇନ୍ଦା ସୁରକ୍ଷା ଉପକରଣ ଆଦି କିଣିବାରେ ମଧ୍ୟ ଅର୍ଥ ବ୍ୟୟ କରାଯାଉଛି ବୋଲି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ତଥ୍ୟ ଅନୁସାରେ, ରାଜ୍ୟରେ ଖାଲି ପଡ଼ିଛି ୧୩ ହାଜର ୩୭୩ ପୋଲିସ ପଦବୀ । ଅଗ୍ନିଶମ ବିଭାଗରେ ବି ୪୮୧ ପଦବୀ ଖାଲି ପଡିଥିବାବେଳେ,୨୪୧୬ ହୋମଗାର୍ଡ ପଦବୀ ଖାଲିପଡ଼ିଛି ।କେବଳ ଏତିକି ନୁହେଁ , ବିଭିନ୍ନ ଜିଲ୍ଲାରେ ଥିବା ଜେଲ ଓ ସବଜେଲମାନଙ୍କରେ ୮୬୨ ପଦବୀ ଖାଲି ପଡିଛି । ତେଣୁ ପଦବୀ ଗୁଡିକରେ ନିଯୁକ୍ତି ପାଇଁ ଚୟନ ଓ ପଦୋନ୍ନତୀ ଭିତ୍ତିରେ ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।