ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭା ଫଳାଫଳ କଂଗ୍ରେସକୁ ଶକ୍ତ ଆଘାତ ଦେଇଛି । ବିରୋଧୀ ଏନଡିଏର ଏକ ପାଖିଆ ବିଜୟକୁ ସହଜରେ ଗ୍ରହଣ କରିପାରୁନି ଦଳ । ବିଶେଷକରି ଇଭିଏମ୍ ଟାମ୍ପରିଂ ଘଟଣା ଚର୍ଚ୍ଚା ହେବା ପରେ ଏବେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ । ମହାରାଷ୍ଟ୍ରରେ ଭୋଟ୍ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ପ୍ରଦାନ କରିବାକୁ ଦଳର ପ୍ରତିନିଧିମାନେ ଅନୁରୋଧ କରିଛନ୍ତି । ଯାହା ସାର୍ବଜନୀନ ହେଲେ ନିର୍ବାଚନ ସ୍ୱଚ୍ଛତା ଉପରେ ଅନେକ ତଥ୍ୟ ଜଣାପଡିବ ବୋଲି ଦଳ ଆଶା କରିଛି ।
ତେବେ ଦଳ ତଦନ୍ତ ପାଇଁ ଦାବି କରିଥିବା ବିଷୟ ଗୁଡିକ ମଧ୍ୟରେ ରହିଛି-
୨୦୨୪ ଲୋକସଭା ନିର୍ବାଚନ ପରେ କଟିଥିବା ଭୋଟରଙ୍କ ସଂଖ୍ୟା, ଲୋକସଭା ନିର୍ବାଚନ ପରେ ଯୋଡି ହୋଇଥିବା ନୂତନ ଭୋଟରଙ୍କ ବିବରଣୀ, ଫର୍ମ ୬ ଏବଂ ୭ ର ସମୁଦାୟ ଦାଖଲ ସଂଖ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସେହିପରି ଚିହ୍ନଟ ହୋଇଥିବା ନକଲି ଭୋଟରଙ୍କ ତଥ୍ୟ, ତୁଲଜାପୁର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିବା ଏଫଆଇଆରର ଅପଡେଟ୍ ସମ୍ପର୍କରେ ଜାଣିବାକୁ ଚାହିଁଛି କଂଗ୍ରେସ । ଏହାବ୍ୟତୀତ ସନ୍ଧ୍ୟା ୫.୩୦ ପରେ ମହାରାଷ୍ଟ୍ରରେ ଭୋଟ୍ ଦେବାର କାରଣ ମଧ୍ୟ ମଗାଯାଇଛି । ତେବେ ସବୁଠାରୁ ଚର୍ଚ୍ଚିତ କଲାଭଳି ଦାବି ହେଉଛି ଇଭିଏମର ପରୀକ୍ଷା ।
ହରିୟାଣା ଏବଂ ମହାରାଷ୍ଟ୍ର ନିର୍ବାଚନରେ ବ୍ୟବହାର ହୋଇଥିବା ଇଭିଏମଗୁଡିକରୁ ଯେକୌଣସି ୨୫ଟି ଇଭିଏମ୍ ଆଣି ରାଜନୈତିକ ଦଳର ପ୍ରତିନିଧିଙ୍କ ଆଗରେ ବିଶେଷଜ୍ଞ ଉପସ୍ଥିତିରେ ପରୀକ୍ଷା କରିବା ପାଇଁ ଦାବି କରିଛି କଂଗ୍ରେସ । ତେବେ ନିର୍ବାଚନ କମିଶନ କଂଗ୍ରେସର ଏହି ଦାବିର ଉତ୍ତର କେଉଁଭଳି ଦେଉଛନ୍ତି ତାହାକୁ ଅପେକ୍ଷା ରହିଲା ।