ଆମେରିକାରୁ ପ୍ରବାସୀଙ୍କୁ କାହିଁକି ଆଣୁ ନାହାନ୍ତି ସରକାର ?
![](https://i0.wp.com/odia.mobilenews24x7.com/wp-content/uploads/2025/02/kjjfhvgh.jpg?resize=780%2C453&ssl=1)
ନୂଆଦିଲ୍ଲୀ : ଭାରତରୁ ଯାଇ ବେଆଇନ ଭାବେ ଆମେରିକାରେ ରହିଥିବା ମୋଟ ୭,୨୫.୦୦୦ ଭାରତୀୟଙ୍କ ମଧ୍ୟରୁ ପ୍ରଥମ ଦଫାରେ ଟ୍ରମ୍ପ ପ୍ରଶାସନ ୧୦୪ ଜଣଙ୍କୁ ସି-୧୭ ବିମାନରେ ଅମୃତସର ପଠାଇ ଦେଇଛନ୍ତି। ବର୍ବରତାର ସବୁ ସୀମାକୁ ପାର କରି ଆମେରିକା ସରକାର ହାତରେ ହ୍ୟାଣ୍ଡକଫ ଓ ଗୋଡ଼ରେ ଚେନ ବାନ୍ଧି ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ଭାରତୀୟଙ୍କୁ ଆମେରିକାରୁ ବିଦା କରିଛନ୍ତି ।
ପ୍ରଥମ ଦଫାରେ ୧୦୪ ପ୍ରବାସୀ ଭାରତୀୟ ଅମୃତସରରେ ପହଞ୍ଚିବା ପରେ ସେମାନଙ୍କ ସହ ଘଟିଥିବା ଭୟଙ୍କର ନିର୍ଯାତନାର କାହାଣୀ ସେମାନେ ବଖାଣିଛନ୍ତି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସେମାନେ ନିଜର ଆମେରିକା ସ୍ୱପ୍ନ ପୂରଣ କରିବାକୁ ଯାଇଥିଲେ। କିନ୍ତୁ ଏବେ ତାଙ୍କୁ ଟ୍ରମ୍ପ ପ୍ରଶାସନ ପଶୁଙ୍କ ଭଳି ବ୍ୟବହାର କରି ଭାରତକୁ ପଠାଇ ଦେଇଛି।
ତେବେ ପ୍ରବାସୀଙ୍କୁ ଆମେରିକା ନିଜ ଖର୍ଚ୍ଚରେ ପଶୁଙ୍କ ଭଳି ବ୍ୟବହାର କରି ବିମାନରେ ପଠାଇଥିବାରୁ ଏହାକୁ ନେଇ ଏବେ ଭାରତରେ ବିବାଦ ଦେଖାଯାଇଛି। କାହିଁକି ଭାରତ ସରକାର ନିଜ ଆଡ଼କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ ନ କରି ସମ୍ମାନର ସହ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିଲେ ନାହିଁ ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ତର୍ଜାତୀୟ ନିୟମର ଦ୍ୱାହି ଦେଇ କେନ୍ଦ୍ର ସରକାର ପୂରା ପ୍ରସଙ୍ଗରେ ନିଜର ଦୋଷ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ବିରୋଧୀ କେନ୍ଦ୍ର ସରକାରଙ୍କ ସମାଲୋଚନା କରିବାରେ ଲାଗିଛନ୍ତି। ଭାରତ ସରକାର ନିଜ ଦେଶର ନାଗରିକଙ୍କ ସହ ହୋଇଥିବା ଅମାନବୀୟ ଆଚରଣ ବିରୋଧରେ ପଦକ୍ଷେପ ନ ନେବା ଲଜ୍ଜାଜନକ ବୋଲି କହିଛନ୍ତି ବିରୋଧୀ ।
ଅନ୍ୟପଟେ ବିବାଦୀୟ କ୍ଷେତ୍ରରୁ ଭାରତୀୟଙ୍କୁ ଆଣିବା ପାଇଁ ଭାରତ ସରକାର ପୂର୍ବରୁ ବିମାନ ବ୍ୟବସ୍ଥା କରିବାର ନଜିର ରହିଛି। ମହାମାରୀ କରୋନା ଓ ୟୁକ୍ରେନ-ରୁଷ ଯୁଦ୍ଧ ବେଳେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଭାରତ ସରକାର ବିମାନ ପଠାଇଥିଲେ। କିନ୍ତୁ ଆମେରିକାରୁ କାହିଁକି ଭାରତୀୟଙ୍କୁ ଆଣିବା ପାଇଁ ପଦକ୍ଷେପ ନିଆଗଲା ନାହିଁ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି।