ସୁପର୍ ସଣ୍ଡେରେ ହାଇଭୋଲଟେଜ ମ୍ୟାଚ
![](https://i0.wp.com/odia.mobilenews24x7.com/wp-content/uploads/2025/02/kkkjbhhjj.jpg?resize=478%2C171&ssl=1)
ଭୁବନେଶ୍ୱର : ଆଜି ସୁପର୍ ସଣ୍ଡେରେ ହେବାକୁ ଯାଉଛି ସୁପର୍ ମୁକାବିଲା। ମୁହାଁମୁହିଁ ହେବେ ଭାରତ ବନାମ ଇଂଲଣ୍ଡ। ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ହେବ । ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ନାଗପୁରର ପ୍ରଥମ ମ୍ୟାଚରେ ବାଜି ମାରିଥିବା ଟିମ୍ ଇଣ୍ଡିଆ ସିରିଜ୍ କବଜା ଲକ୍ଷ୍ୟରେ ରହିଛି। ସେପଟେ ଇଂଲଣ୍ଡ ପାଇଁ ବି କର ବା ମର ଅବସ୍ଥା।
ତେବେ ଯଦି ପୂର୍ବରୁ ଦେଖିବା ବାରବାଟୀରେ ଟିମ୍ ଇଣ୍ଡିଆର ଭଲ ରେକର୍ଡ ରହିଛି। ଭାରତ ଏଠାରେ ମୋଟ ୧୭ଟି ODI ଖେଳିଥିବା ବେଳେ ୧୩ଟିରେ ବିଜୟୀ ହୋଇଛି । ବାରବାଟୀରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଉଭୟ ଇଂଲଣ୍ଡ ଏବଂ ଭାରତ । ସେଥିରୁ ୩ ଥର ଜିତିଥିବା ବେଳେ ୨ ଥର ପରାଜୟର ସ୍ୱାଦ ଚାଖିଛି ଭାରତ।
ଅନ୍ୟପଟେ ଆଜିର ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଭରି ରହିଛି। ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଷ୍ଟାଡ଼ିୟମ ଭିତରକୁ ପାଣିବୋତଲ୍, ଫଳ, ଖାଦ୍ୟ ସାମଗ୍ରୀ, ହେଲମେଟ୍, ଲାଠି, ଲାଇଟର୍ କିମ୍ବା ଦିଆସିଲି ଭଳି ସାମଗ୍ରୀ କେହି ନେଇପାରିବେ ନାହିଁ। ସାଙ୍ଗରେ କେବଳ ମୋବାଇଲ୍ ସହ ଟିକଟ, ଚଷମା ନେଇପାରିବେ ବୋଲି ଗାଇଡ଼ଲାଇନ ଜାରି କରାଯାଇଛି ।