
ନୂଆଦିଲ୍ଲୀ : ୨୦୧୯ ପୁଲୱାମା ଆକ୍ରମଣକୁ ଆଜି ବିତିଲା ୬ ବର୍ଷ । ହେଲେ ଆଜିବି ପ୍ରତ୍ୟେକ ଭାରତୀୟଙ୍କ ମନରୁ ଲିଭିନି ସେହି ଛାତିଥରା ଲୋମହର୍ଷଣକାରୀ ଘଟଣା। ୨୦୧୯ ଆଜି ପରି ସେଦିନ ବି ଥିଲା ଫେବୃଆରୀ ୧୪ । ହଠାତ ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଥିଲା ପୁଲଓ୍ୱାମା । ଆଉ ମୁହୁର୍ତ୍ତକ ଭିତରେ ସହିଦ ହୋଇଯାଇଥିଲେ ୪୦ ଭାରତୀୟ ଯବାନ। ଏହି ଘଟଣା ପୂରା ଦେଶକୁ ସ୍ତବ୍ଧ କରିଦେଇଥିଲା ।
୨୦୧୯ ଫେବୃଆରୀ ୧୪ରେ ସାରା ଦେଶ ସେଦିନ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହରରେ ଆସିଥିଲା ହୃଦୟବିଦାରକ ଖବର । ପୁଲୱାମା ଜିଲ୍ଲାର ଲେଥାପୁରା ନିକଟରେ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ବର୍ବର ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଘଟାଇଲା ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଯବାନଙ୍କ ଗାଡ଼ି ସହ ଧକ୍କା କରିଥିଲା । ଯାହାଫଳରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ଆଉ ଏକା ଥରେ କ୍ଷଣକ ମଧ୍ୟରେ ନିଜର ୪୦ ବୀର ପୁଅଙ୍କୁ ହରାଇ ଦେଇଥିଲା ଭାରତ। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଞ୍ଚଳ ଏକ ପ୍ରକାର ଦୋହଲି ଯାଇଥିଲା । ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫ୍ର ଯବାନମାନେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ଚାରିଆଡ଼େ ଖେଳି ଯାଇଥିଲା ନୀରବତା ଆଉ ଶୋକର ଛାୟା । ଶୋକରେ ବୁଡ଼ିଯାଇଥିଲା ପୁରା ଦେଶ । ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମା’ମାଟି, ଗୁମୁରି ଗୁମୁରି କାନ୍ଦୁଛନ୍ତି ପରିବାର ଓ ପ୍ରିୟଜନ। ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଆଜି ବି ଗୁମୁରି ଗୁମୁରି କାନ୍ଦୁଛି ମାତୃଭୂମି ।