ରାମ ନବମୀରୁ ଆରମ୍ଭ ପୁରୀର ସାହିଯାତ

ପୁରୀ : ରାମ ନବମୀ ଅବସରରେ ରବିବାର ଠାରୁ ଆରମ୍ଭ ହେଉଛି ପୁରୀର ସାହିଯାତ । ଏହି ଯାତ ସମୟରେ ପୁରୀ ସହରର ୮ ସାହିରୁ ବାହାରୁଥିବା ପଟୁଆର ଓ ଯାତ ଆଦି ସାହିଗୁଡ଼ିକରେ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିବେ। ସାହିଯାତରେ ମୁଖ୍ୟ ଆକର୍ଷଣ ଭାବେ ପୌରାଣିକ ବିଷୟ ବସ୍ତୁ ସହିତ ସମରକଳା, ଲୋକକଳ, ଲୋକନୃତ୍ୟ, ଲୋକଗୀତ ଓ ଲୋକବାଦ୍ୟ ପରମ୍ପରାର ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ।
ଆଜି ପ୍ରଥମ ଦିନରେ କାଳିକାଦେବୀ ସାହିରୁ ଯାତ ବାହାରି ଶ୍ରୀମନ୍ଦିରରେ ନୀତି ସମ୍ପନ୍ନ କରିବ। ଏହାପରେ ବାଦିସାହିକୁ ଯାଇ କଳା କୌଶଳ ପ୍ରଦର୍ଶନ କରିବ। ପରମ୍ପରା ଅନୁଯାୟୀ, ରାମନବମୀ ତିଥି ଅବସରରେ କାଳିକାଦେବୀ ସାହି ପକ୍ଷରୁ ରାମଜନ୍ମ ନୀତି ସମ୍ପନ୍ନ କରାଯାଏ। ଆସନ୍ତାକାଲି ଅର୍ଥାତ୍ ୭ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ ରକ୍ଷା ନୀତି ଓ ମାଟି ମଣ୍ଡପ ସାହି ପକ୍ଷରୁ ନିଶାଣ ଶୋଭାଯାତ୍ରା ହେବ।
ସେହିପରି ୮ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ପର୍ଶୁରାମ କଳା ହରଣ ନୀତି, ୯ରେ ମାର୍କେଣ୍ଡଶ୍ୱର ସାହି ପକ୍ଷରୁ ବନବାସ ନୀତି, ୧୧ରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ସୀତାଚୋରୀ ନୀତି, ୧୨ରେ ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡ଼ି ନୀତି, ୧୩ରେ ବାଲିସାହି ପକ୍ଷରୁ ସେତୁବନ୍ଧ ପ୍ରସ୍ତାବ ନୀତି, ୧୪ରେ ବାଲିସାହି ପକ୍ଷରୁ ରାବଣ ବଧ ପ୍ରସ୍ତାବ ନୀତି ସମ୍ପନ୍ନ କରାଯିବ। ସେହିଭଳି ୨୨ ତାରିଖରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ନୀତି ସହ ସାହିଯାତ ଶେଷ ହେବ। ଶ୍ରୀଜଗନ୍ନାଥଙ୍କ ରାମାବତାର ଲୀଳାର ଅଂଶ ହେଉଛି ସାହିଯାତ। ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ଏହା ପରିଚିତ ।