
ନୂଅଦିଲ୍ଲୀ: ପୁଣି ତାତିଲା କଂଗ୍ରେସ । ହରତାଳକୁ ଓହ୍ଲାଇଲାଣି ହାତ । ଏନେଇ ଦେଶବ୍ୟାପି ଦିଆଯାଇଛି ଡାକରା । ରାହୁଲ ଓ ସୋନିଆ ଗାନ୍ଧିଙ୍କୁ ଇଡିର ଚାର୍ଜସିଟ ପ୍ରତିବାଦରେ ଆନେ୍ଦାଳନ କରୁଛି ଦଳ । ଏନେଇ ସବୁ ଇଡି ଅଫିସ ଘେରାଉ କରିବା ସହ ଧାରଣାରେ ବସିବେ କର୍ମୀ ।
କେନ୍ଦ୍ରୀୟ ଇଡି ଅଫିସ, ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଇଡି ଅଫିସ ଆଗରେ ପ୍ରତିବାଦ କରିବ କଂଗ୍ରେସ । ଅନ୍ୟପଟେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏନେଇ ପିସିସି ସଭାପତି ଭକ୍ତ ଦାସ ସମସ୍ତ କର୍ମୀଙ୍କୁ ଏକାଠି ଡାକରା ଦେଇଛନ୍ତି । ଭୁବନେଶ୍ୱରରେ ଇଡି ଅଫିସ ଘେରାଉ ସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏନେଇ ଦଳର ନେତୃବୃନ୍ଦଙ୍କ ସମେତ ଜିଲ୍ଲା କମିଟି ଓ କର୍ମୀଙ୍କୁ ଭକ୍ତ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଠାରୁ ରାଜନୈତିକ ପ୍ରିତିଶୋଧ ନିଆଯାଉଛି । କିନ୍ତୁ କଂଗ୍ରେସ କେବେ ପଛକୁ ହଟିବନି । ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି । ଏଠାରେ କହି ରଖୁଛୁ ଯେ, ନ୍ୟାସନାଲ ହେରାଲ୍ଡ ମାମଲାରେ ଏବେ ଅଡୁଆରେ ପଡିଛନ୍ତି ରାହୁଲ ଓ ସୋନିଆ । ମାମଲା ସମ୍ବନ୍ଧିତ ଚାର୍ଜସିଟରେ ସାମ ପିଟ୍ରୋଦାଙ୍କ ସହ ସୋନିଆ ଓ ରାହୁଲଙ୍କ ନାଁ ରହିଛି । ଏନେଇ ରାଉଜ ଏଭିନ୍ୟୁକୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରେ କଂଗ୍ରେସର ଏହି ତିନିଜଣ ବରିଷ୍ଠ ନେତାଙ୍କ ସହ ଆଉ କିଛି ଜଣଙ୍କ ନାଁ ରହିଛି । ଏପ୍ରିଲ ୨୫ରେ କୋର୍ଟ ଚାର୍ଜସିଟ ଉପରେ ଶୁଣାଣି କରିବେ । ପ୍ରଥମଥର ପାଇଁ ନ୍ୟାସନାଲ ହେରାଲ୍ଡ ମାମଲାରେ ଏମାନଙ୍କ ନାଁ ଚାର୍ଜସିଟରେ ଉଲ୍ଲେଖ କରିଛି ଇଡି । ଯାହାର ପ୍ରତିବାଦରେ ସାରା ଦେଶରେ ବିରୋଧର ସ୍ୱର ଉଠାଇଛି କଂଗ୍ରେସ ।