
କେନ୍ଦ୍ରାପଡ଼ା : ରାଜନଗର ଗହୀରମଥାରୁ ପୁରୀ, ବ୍ରହ୍ମପୁର, ଆନ୍ଧ୍ର, ତିରୁପତି, ଚେନ୍ନାଇ, ପୁଡୁଚେରି ଦେଇ ତାମିଲନାଡୁ ନିକଟ ଗଭୀର ସମୁଦ୍ରରେ କଇଁଛ ଯାତ୍ରା କରୁଛନ୍ତି ଅଲିଭ ରିଡଲେ କଇଁଛ । ସାଟେଲାଇଟ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି । ରାଜନଗର DFO ସୁଦର୍ଶନ ଗୋପୀନାଥ ଯାଦବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଡେରାଡୁନ୍ ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ କଇଁଛ ଦେହରେ ସାଟେଲାଇଟ୍ ଟ୍ୟାଗିଂ କରି ସହ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି ।
୧୩ ମାର୍ଚ୍ଚ ୨୦୨୫ରୁ ଗହୀରମଥାର ବାବୁ ବାଲିରୁ ସମୁଦ୍ରରେ ଯାତ୍ରା ଆରମ୍ଭ କରିଥିବା ସାଟେଲାଇଟ୍ ଟ୍ୟାଗିଂ ଅଲିଭ ରିଡଲେ ଗତ ସପ୍ତାହ ସୁଦ୍ଧା ତାମିଲନାଡୁ ନିକଟ ଗଭୀର ସମୁଦ୍ରରେ ଯାତ୍ରା କରୁଥିବା ଜଣାପଡ଼ିଛି। ଗହୀରମଥାରୁ ତାମିଲନାଡୁ ୯୫୦ କିଲୋମିଟର ବା ୫୯୦ ନଟିକାଲ୍ ମାଇଲ୍ ଜଳପଥରେ ଯାତ୍ରା କରୁଛି ବିରଳ ଅଲିଭ ରିଡଲେ କଇଁଛ। ପୂର୍ବରୁ ୨୦୨୧ରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଗହୀରମଥାରେ ଅଣ୍ଡା ଦେଉଥିବା କଇଁଛଙ୍କ ଗୋଡ଼ରେ ଧାତବ ଫଳକରେ ନମ୍ବର ଲେଖି ଲଗାଯାଇଥିଲା। ସେହି ଧାତବ ଫଳକ ଲଗାଯାଇଥିବା ଅଲିଭ ରିଡଲେ କଇଁଛ ମହାରାଷ୍ଟ୍ର ଉପକୂଳରେ ଚଳିତବର୍ଷ ଗଣ ଅଣ୍ଡାଦାନ ବେଳେ ଚିହ୍ନଟ କରାଯାଇଛି।
ପୂର୍ବରୁ ପିଠିରେ ଟ୍ରାନ୍ସମିଟର୍ ଲଗାଯାଇଥିବା କଇଁଛ ଶ୍ରୀଲଙ୍କାର ଜାଫ୍ନା ଉପକୂଳରୁ ମିଳିଥିଲା। ଏବେ ଧାତବ ଫଳକ ଟ୍ୟାଗିଂ କଇଁଛ ମହାରାଷ୍ଟ୍ର ଓ ସାଟେଲାଇଟ୍ ଟ୍ୟାଗିଂ କଇଁଛ ତାମିଲନାଡୁର ଗଭୀର ସମୁଦ୍ରରେ ଯାତ୍ରା କରୁଥିବା ଜଣାପଡ଼ିଛି। କୋଷ୍ଟାରିକା ଓ ମେକ୍ସିକୋ ପରେ ଓଡ଼ିଶା ଉପକୂଳକୁ ଅଣ୍ଡାଦାନ ପାଇଁ ଅଲିଭ ରିଡଲେ ବାଛି ନେଇଛନ୍ତି। ଓଡ଼ିଶା ଉପକୂଳର ଗହୀରମଥାକୁ ଏହି ବିରଳ ଅଲିଭ୍ ରିଡ୍ଲେ କାହିଁକି ଓ କେଉଁଠୁ ଆସନ୍ତି, ଗହୀରମଥାରେ ଲକ୍ଷାଧିକ ସଂଖ୍ୟାରେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୁଅନ୍ତି, ତାହା ଏବେ ବି ରହସ୍ୟମୟ ହୋଇ ରହିଛି।
ସାଟେଲାଇଟ୍ ଟ୍ୟାଗିଂ ହୋଇଥିବା ଅଲିଭ୍ ରିଡ୍ଲେ କଇଁଛ ଗହୀରମଥାରୁ ଅଣ୍ଡା ଦେଇ ସାରିବା ପରେ କେଉଁଠାକୁ ଫେରୁଛନ୍ତି, କେତେ ସମୁଦ୍ର ଗଭୀରକୁ ଯାଉଛନ୍ତି, କ’ଣ କରୁଛନ୍ତି, ସେମାନେ ଯିବା ଓ ଫେରିବା ସମୟକୁ ଛାଡିଲେ କେଉଁଠାରେ ରହୁଛନ୍ତି, ତାର ଗତିବଧି ସାଟେଲାଇଟ୍ ମାଧ୍ୟମରେ ଅନୁଧ୍ୟାନ କରାଯାଉଛି। ଜନ୍ମ ହେବା ପରେ କଇଁଛ ଶାବକ ଓ ଅଣ୍ଡା ଦେବାକୁ ଆସୁଥିବା ପ୍ରାପ୍ତ ବୟସ୍କ କଇଁଛଙ୍କୁ ଦେଖିବାକୁ ମିଳୁଥିବା ବେଳେ ବାଲ୍ୟ ଓ ଯୁବାବସ୍ଥାର କଇଁଛଙ୍କୁ ଆଜିଯାଏଁ କେଉଁଠି ଦେଖିବାକୁ ମିଳିନାହିଁ। ଏହାର ରହସ୍ୟ ଭେଦ ପାଇଁ ଦୀର୍ଘ ବର୍ଷ ପରେ ଅଲିଭ୍ ରିଡ୍ଲେ କଇଁଛଙ୍କ ଦେହରେ ସାଟେଲାଇଟ୍ ଟ୍ୟାଗିଂ କରାଯାଇଥିଲା। ତେବେ ଗୁରୁବାର ସୁଦ୍ଧା ୩ ଦିନରେ ୧ କୋଟିରୁ ଅଧିକ ଅଲିଭ ରିଡଲେ ଛୁଆ ସମୁଦ୍ର ଭିତରକୁ ସୁରକ୍ଷିତ ଭାବେ ଯିବା ବନ ବଭାଗ ପାଇଁ ଏକ ଆଶ୍ୱସ୍ତିକର ଖବର ସହିତ ଏକ ସଫଳତା ମଧ୍ୟ ।