
ବିଷୋଇ : ମୟୂରଭଞ୍ଜର ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିମଧ୍ୟରେ ୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୧୩୩ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୯୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୫୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ରହିଛି ।
ବିଷୋଇ ମିନିଷ୍ଟାଡିଅମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲାର ବିକାଶ ଯାତ୍ରାରେ ଏ ସବୁ ପ୍ରକଳ୍ପ ଗୁଡ଼ିକ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଲା । ଆଜି ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଏହି ପ୍ରକଳ୍ପ ଗୁଡ଼ିକ ରାଇରଙ୍ଗପୁର, କୁସୁମି, ବିଜାତଳା, ବହଳଦା, ଜାମ୍ଦା, ତିରିଂ ଅଞ୍ଚଳରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୂଳଦୁଆ ପକାଇବ ।
ଏହି ସବୁ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି କରଣ, ବ୍ୟାଙ୍କ ସୁବିଧା, ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ ପ୍ରକଳ୍ପ, ଆଦିବାସୀ ସଂସ୍କୃତି ଭବନ ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ବିଷୋଇ ବ୍ଲକ ମୁଖ୍ୟାଳୟ ଠାରେ ଏକ ଯୁକ୍ତ ୨ ମହାବିଦ୍ୟାଳୟ ସ୍ଥାପନ କରିବା ଓ ବିଷୋଇ ସ୍ଥିତ ମିନି ଷ୍ଟାଡିୟମକୁ ଧରଣୀଧର ନାଏକଙ୍କ ନାମରେ ନାମିତ କରିବା ସହିତ ସେଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।