
ଭୁବନେଶ୍ୱର, ୩୦/୦୬: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହିତ ସୃଷ୍ଟ ଘୂର୍ଣ୍ଣିବଳୟ ମଧ୍ୟ ସମୁଦ୍ର ପତ୍ତନଠାରୁ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି, ଯାହା ଆଗାମୀ ୨ ଦିନ ମଧ୍ୟରେ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଥିବାରୁ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଏଥିସହ ଆସନ୍ତା ୭ଦିନ ଧରି ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ବିଜୁଳି, ଘଡ଼ଘଡ଼ି, ବଜ୍ରପାତର ସୂଚନା ରହିଥିବାବେଳେ ଝଟକା ପବନର ବେଗ ୩୦ରୁ ୪୦ କିମି ରହିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି।