ମୃତକଙ୍କୁ ୨୫ ଲକ୍ଷ କ୍ଷତିପୂରଣ ଦେଲେ ମୁଖ୍ୟମନ୍ତ୍ରୀ ।

ପୁରୀ ୦୨/ଜୁଲାଇ : ପୁରୀ ଶ୍ରାଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁଘଟିଛି। ଏହି ଘଟଣାରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକର ଗୋବର୍ଦ୍ଧନପୁର ଗାଁର ବାସିନ୍ଦା ବାସନ୍ତୀ ସାହୁ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ। ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବାସନ୍ତୀଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ ଏବଂ ତାଙ୍କ ସ୍ୱାମୀ ଦିଲୀପ ସାହୁଙ୍କୁ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଦିଲୀପ ନିଜେ ଘଟଣା ବିଷୟରେ ମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଏବଂ ଅଭିଯୋଗ କରିଥିଲେ ଯେ ଏହି ଦୁଃଖଦ ଘଟଣା ଦୁଇ ଅଧିକାରୀଙ୍କ ଅବହେଳାରୁ ଘଟିଛି। ଘଟଣା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ୍ନାଥଙ୍କ ସମସ୍ତ ଭକ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଶୋକସନ୍ତପ୍ତ ପରିବାରକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।